Unknown

 

 

 

 

 

 

 

 

 

 

 

ବମ୍ବେ ଡାଇରୀ

ଶ୍ରୀ ଗୋବିନ୍ଦଚନ୍ଦ୍ର ଉଦ୍‍ଗାତା

 

ପଦେ କଥା

 

୧୯୫୬ ପୂଜାଛୁଟିରେ ପୃଥ୍ଵୀରାଜ ହାଇସ୍କୁଲର କେତେଜଣ ପିଲାଙ୍କୁ ସଙ୍ଗରେ ନେଇ ବମ୍ବେ ବୁଲିବାକୁ ଯାଇଥିଲି । ମୋର ସହକର୍ମୀ ଚାରି ଜଣ ମଧ୍ୟ ଯାଇଥିଲେ । ତେଣୁ ପିଲାଏ ଯେପରି ନିଜ ସାଙ୍ଗ ସୁଖରେ କେତୋଟି ଦିନ ଆନନ୍ଦରେ କଟାଇଥିଲେ, ଆମ୍ଭେମାନେ ମଧ୍ୟ କର୍ମଜୀବନର କ୍ଷଣିକ ଅବସରତକ ସେହିପରି ସୁଖରେ କଟାଇଥିଲୁ । ବମ୍ବେ ଯାତ୍ରା ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଯାହା ଘଟିଥିଲା ବା ଦେଖିଥିଲୁ ସବୁକୁ ଏକ ଯାତ୍ରା ବିବରଣୀ ଆକାରରେ ଲେଖିବାପାଇଁ ଛାତ୍ରମାନଙ୍କୁ ବହୁବାର କହି ମଧ୍ୟ ନ ହେବାରୁ ଶେଷରେ ମୁଁ ନିଜେ ଲେଖି ଦେଇଥିଲି-। ଆମ ସ୍କୁଲର ପତ୍ରିକା “ପାରିଜାତ”ରେ ତାହା ପ୍ରକାଶିତ ହେବା ପରେ କେତେ ଜଣ ବନ୍ଧୁ ଭ୍ରମଣବୃତ୍ତାନ୍ତ ଆକାରରେ ତାହାକୁ ସ୍ଵତନ୍ତ୍ର ବହି କରି ଛପାଇବାର ପରାମର୍ଶ ଦେଇଥିଲେ-। ସେମାନଙ୍କ ସେହି ପରାମର୍ଶ ହିଁ ଏହି ଉଦ୍ୟମ ମୂଳରେ ପ୍ରେରଣାର କାର୍ଯ୍ୟ କରିଛି ।

 

ଆମ ସାହିତ୍ୟରେ ଭ୍ରମଣବୃତ୍ତାନ୍ତର ପ୍ରାଚୁର୍ଯ୍ୟ ନାହିଁ ଏ କଥା ସତ । ସେ ଅଭାବ ଏହା ଦ୍ଵାରା କଥଞ୍ଚିତ୍‍ ପୂର୍ଣ୍ଣ ହେବ ବୋଲି ଆଶା କରିବା ଅସମୀଚୀନ ହେବ ନାହିଁ ।

 

ଲେଖକ

★★★

 

-ପୂର୍ବାଭାସ-

 

ଆରବ ସାଗରର ନୀଳ ବୀଚିବିକ୍ଷୋଭିତ ଉପକୂଳରେ ଅବସ୍ଥିତ ବମ୍ବେ—ଭାରତର ଦ୍ଵିତୀୟ ବୃହତ୍ତମ ମହାନଗରୀ । ଦିନେ, ଦୁଇ ଦିନ ବା ଛଅ ଦିନର ଦେଖାରେ ତାକୁ ଚିହ୍ନିବା ତ ଦୂରର କଥା, ତାକୁ ସମ୍ପୂର୍ଣ୍ଣରୂପେ ଦେଖିବାର କଳ୍ପନା ମଧ୍ୟ ଅବାନ୍ତର । ତଥାପି ଉତ୍କଳର ଏହି ଦୂର କୋଣରେ ଅବସ୍ଥିତ କ୍ଷୁଦ୍ର ନଗରବାସୀର ଉତ୍ସାହ ଜାଗେ ତାକୁ ଦେଖିବାର କଳ୍ପନାରେ । କର୍ମମୟ ଜୀବନରୁ ଟିକିଏ ଦୂରେଇ ଯିବାରେ ତ ଗୋଟାଏ ଆଶ୍ଵସ୍ତି ନିଶ୍ଚୟ ଅଛି; ତହିଁରେ ପୁଣି ଅଳ୍ପ ହେଉ ବେଶୀ ହେଉ, ବମ୍ବେର ସ୍ଵରୂପ ଦେଖି ଜୀବନର ଗୋଟାଏ ରେକର୍ଡ ରଖିବା ଅନ୍ୟ ଏକ କାମନା । କଥାଟା ନିତାନ୍ତ ହାସ୍ୟାସ୍ପଦ ନୁହେ, କାରଣ ଏ କଥା ତ ମିଛ ନୁହେଁ ଯେ ଆମ ଦେଶରେ ଏପରି ଲୋକ ଅଛନ୍ତି, ଯେଉଁମାନଙ୍କ ଜୀବନରେ ଏ ପର୍ଯ୍ୟନ୍ତ ରେଳ ଦେଖିବାର ସୁଯୋଗ ଆସିନାହିଁ, ହୁଏତ ଦେଖିବାର ବାସନା ବା ଆଶା ମଧ୍ୟ ନାହିଁ । ଏପରି ସ୍ଥଳେ ଆମ୍ଭେମାନେ ବମ୍ବେ ଚିନ୍ତାରେ ଯେ ଯଥେଷ୍ଟ ଉତ୍ସାହିତ ହେବୁଁ ଏଥିରେ ବୈଚିତ୍ର ନାହିଁ । ଜୀବନର ମଧ୍ୟ ଭାଗରେ ଉପସ୍ଥିତ ହୋଇଥିଲେ ମଧ୍ୟ ଏହିପରି ଅବସରରେ ବିସ୍ତୃତ ଅତୀତର ଯୌବନସୁଲଭ ଚପଳତା, ଆନନ୍ଦ, ଅସ୍ଥିରତା ଓ ପ୍ରେରଣା କାହୁଁ ଆସେ କିଏ କହିବ ? କିଶୋର ଛାତ୍ରମାନଙ୍କର ସାହଚର୍ଯ୍ୟ ସେହି ପ୍ରାଣର ମୂଳ ବୀଜ ହୋଇପାରେ । ପ୍ରାଣର ସ୍ପର୍ଶରେ ମନ୍ଦୀଭୂତ ପ୍ରାଣକୁ ପୁଣି ସକ୍ରିୟ କରି ତୋଳନ୍ତି ସେମାନେ । ତାଙ୍କରି ଉଦ୍ଦେଶ୍ୟରେ ତେଣୁ ମନ ଅଜ୍ଞାତରେ କୃତଜ୍ଞ ହୋଇଉଠେ ।

 

କନସେସନ୍ ଅର୍ଡର ପାଇବାରେ ବିଳମ୍ବ ହେବାରୁ ଯାତ୍ରୀଦଳର କି ବ୍ୟାକୁଳତା ! ସୁଭାଷ ତ ଏକାବେଳେ ଅସ୍ଥିର । ସେ ପରା କୁଆଡ଼େ ଦୁଇ ଦିନ କେବଳ ବମ୍ବେ ସ୍ଵପ୍ନ ଦେଖିଛି । କିଶୋରୀଲାଲର ସେତେବେଳେ ଏକ ପ୍ରକାର ରୁଟିନ୍ ହୋଇଥାଏ । ତ୍ରୀସନ୍ଧ୍ୟାରେ ଆସି ପଚାରିବା “ସାର୍‍, କନସେସନ୍ ଆସିଲା ?” ହାୟରେ କନସେସନ୍ ! କଣ କରାଯିବ, ପିଲାଙ୍କ ସଂପର୍କ ଯୋଗୁଁ ହୁଏତ ସେ ବି ମଜା ଦେଖେ । ତାର ତ ପୁଣି ହାତ ଗୋଡ଼ ଅଛି । ଟେବୁଲ୍‍ରୁ ଟେବୁଲ୍‍କୁ ଯିବ, କେତେ ଦପ୍ତରର ପରୀକ୍ଷାରେ ପାଶ୍‍ କଲେ ତେବେ ସେ ସାର୍ଟିଫିକେଟ୍‍ ନେଇ ବାହାରିବ ସିନା ! ଆମ ପିଲାଏ ଅନ୍ୟ କଥା କାହିଁକି ଭାବିବେ ? ଯାହା ହେଉ ଆମେ ସବୁ ପ୍ରକାର ବ୍ୟବସ୍ଥା କରି ପ୍ରସ୍ତୁତ ହୋଇ ନିର୍ଦ୍ଦିଷ୍ଟ ଦିନର ଦୁଇ ଦିନ ପରେ ବାହାରିଲୁ । ସ୍କୁଲର ଦଶମ ଶ୍ରେଣୀର ତେର ଜଣ ଛାତ୍ର ଓ ଚାରି ଜଣ ଶିକ୍ଷକ ଏବଂ ସ୍କୁଲର କିରାନୀ ବାବୁ । ଆମେ ଯାଇ ଟିଟିଲାଗଡ଼ରେ ପହଞ୍ଚିଲା ପରେ ଜଣେ ନବମ ଓ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଆମ ସହିତ ଯୋଗ ଦେଲେ ।

 

ଟିଟିଲାଗଡ଼ ରେଳଷ୍ଟେସନ ବଲାଙ୍ଗିରରୁ ୪୨ ମାଇଲ ଦୂରରେ ରାୟପୁର-ଭିଜାଗାପଟମ ଲାଇନରେ ଅବସ୍ଥିତ । ବଲାଙ୍ଗିରଠାରୁ ଏହା ନିକଟତମ ରେଳଷ୍ଟେସନ୍ ଏବଂ ଏଠାକୁ ବଲାଙ୍ଗିରରୁ ପ୍ରତିଦିନ ଚାରିଟା ସରକାରୀ ବସ ଯିବାଆସିବା କରେ । ଶିକ୍ଷାମୂଳକ ପର୍ଯ୍ୟଟନକାରୀ ଛାତ୍ରଦଳକୁ ଟ୍ରାନ୍ସପୋର୍ଟରେ ନିର୍ଦ୍ଦିଷ୍ଟ ଭଡ଼ାର ଏକଚତୁର୍ଥାଂଶ ଛାଡ଼ (କନସେସନ୍) ମିଳେ ଏବଂ ରେଳ ଯାତ୍ରା ପାଇଁ ମେଲ୍ ଗାଡ଼ି ଭଡ଼ାର ଅଧେ ଦେବାକୁ ପଡ଼େ । ଟିଟିଲାଗଡ଼ରୁ ବମ୍ବେର ଦୂରତା ୮୩୨ ମାଇଲ । କନସେସନ୍ ହିସାବରେ ଜଣକ ପ୍ରତି ପଡ଼ିଲା ଟ ୧୧ । ୧୨ ବର୍ଷରୁ କମ୍ ଛାତ୍ରଛାତ୍ରୀ ପାଇଁ ଏହି କନସେସନ୍ ଭଡ଼ାର ଅଧେ ଦେବାକୁ ପଡ଼େ ।

 

ଟିଟିଲାଗଡ଼ ଷ୍ଟେସନ୍‍ର ଉଏଟିଙ୍ଗ ରୁମରେ ଆମ୍ଭେମାନେ ଅପେକ୍ଷା କରିଥାଉଁ । ରାତି ସାଢ଼େ ନଅଟା ବେଳେ ବସ୍‍ରୁ ଓହ୍ଲାଇ ରାୟପୂର ଗାଡ଼ି ଧରିବା ପାଇଁ ରାତି ତିନିଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ । ସେଦିନ ଗାଡ଼ି ପ୍ରାୟ ଘଣ୍ଟାଏ ବିଳମ୍ବରେ ଆସିଲା । ତେଣୁ ରାତି ଟା ପ୍ରାୟ ଅନିଦ୍ରାରେ କଟିଗଲା । କେତେ ଜଣ ତ ବେଶ୍ ଆରାମରେ ଶୋଇଗଲେ । ଆମେ କେତେ ଜଣ ଚେଷ୍ଟା କରି ମଧ୍ୟ ନିଦ୍ରାଦେବୀଙ୍କର ଦର୍ଶନଲାଭ ସୁଖରୁ ବଞ୍ଚିତ ହେଲୁ । କିନ୍ତୁ ଆହୁରି ଦଳେ ଥାଆନ୍ତି, ଯେଉଁମାନେ ଏ ଉତ୍ସବରେ ଶୋଇ ପଡ଼ିବାକୁ ପସନ୍ଦ ନ କରି ଗଳ୍ପସଳ୍ପ ଓ ଆମୋଦରେ ରାତିଟା କଟାଇଦେଲେ । ପ୍ରାୟ ସାଢ଼େ ଚାରିଟାବେଳେ ବଇଁଶୀ ବଜାଇ, ଆଲୁଅ ଦେଖାଇ ଧୂଆଁର ମୁକୁଟପିନ୍ଧା ବାଷ୍ପୀୟ ଯାନ ଆସି ପ୍ଲାଟଫର୍ମରେ ଲାଗିଲା । ଲୁଗାପଟା ଧରି ଆମେ ଗାଡ଼ିରେ ଉଠିଲୁ-। ସେତେବେଳେ କିଶୋରୀଲାଲ ପଚାରିଲା, “ଆଜ୍ଞା, ଆମେ ବମ୍ବେ ଯାଉଚୁ ତ ?” ସମସ୍ତେ ହସି ଉଠିଲେ ।

 

ରାୟପୁରରେ ସକାଳ ଦଶଟା ବେଳେ ପହଞ୍ଚି ପ୍ରାୟ ଦେଢ଼ଘଣ୍ଟା ସମୟ ପାଇଲୁ ଡାକଗାଡ଼ି ଆସିବା ପୂର୍ବରୁ । ସମସ୍ତେ ଖିଆପିଆ କରି ପ୍ରସ୍ତୁତ ହୋଇ ରହିଲୁ ଡାକଗାଡ଼ିରେ ଚଢ଼ିବା ରୂପକ ଯୁଦ୍ଧ ପାଇଁ । ବାସ୍ତବିକ ସେ ଗୋଟାଏ ଯୁଦ୍ଧ । ବିଶେଷତଃ ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ପକ୍ଷରେ ଏବଂ ଆମରି ପରି ଦଳ ପକ୍ଷରେ ଏକ ରୀତିମତ ଯୁଦ୍ଧ । ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଡବା ରିଜର୍ଭ ପାଇଁ କହିବାରୁ ସେ କହିଲେ, “ଡାକଗାଡ଼ିରେ ଭିଡ଼ ଦୃଷ୍ଟିରୁ ଟିକଟ ବିକ୍ରି ବନ୍ଦ । ଏପରି ସ୍ଥଳେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ସମ୍ଭବ ନୁହେଁ ।” ପିଲମାନେ ସମସ୍ତେ ପ୍ରସ୍ତୁତ ହୋଇ ରହିଲେ । ମୁଁ ଅଗତ୍ୟା ସମସ୍ତଙ୍କୁ କହିଦେଲି, ‘‘ନିଜ ନିଜ ଜିନିଷର ଦାୟିତ୍ଵ ନେଇ ଚଞ୍ଚଳ ଯିଏ ଯେଉଁ ଡବାରେ ସୁବିଧା ପାଇବ, ଉଠିଯିବ । ଆଗକୁ ଅନ୍ୟ ଷ୍ଟେସନମାନଙ୍କରେ ଏକାଠି ହେବାର ସୁବିଧା କରିବା ।” କହିଦେଲି ସିନା, କିଏ ଯଦି ରହିଯାଏ ଗୋଟାଏ ଆଶଙ୍କା ।

 

ଗାଡି ଆସିଲା, ବହୁ କଷ୍ଟରେ ଗୋଟାଏ ୧୮ ଜଣିଆ ଡବାରେ ଉଠିଲୁ । ତଳ ଉପର, ଚାଲିବା ଯାଗା, ସବୁଠି ଜିନିଷ ଆଉ ମଣିଷ ଥାଆନ୍ତି । ଜଣକ ଯାଗାରେ ପ୍ରାୟ ଚାରି ଚାରି ଜଣ । ସେହି ଡବାଟିରେ ଆମେ ଥାଉଁ ୬୮ ଜଣ । ଅନ୍ୟ ଡବା ଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୂପ । ବସିବା କଥା ତ ! କିନ୍ତୁ ସେଥିପାଇଁ ମଧ୍ୟ ଯାଗା ନ ଥାଏ । ସମସ୍ତେ ଜିନିଷ ଉପରେ ଛିଡ଼ା ହୋଇଥାଉଁ । କିନ୍ତୁ ବମ୍ବେ ପର୍ଯ୍ୟନ୍ତ ଅର୍ଥାତ୍ ଚବିଶ ଘଣ୍ଟା କ’ଣ ଏହପରି......ଭାବି ହେଉ ନ ଥାଏ । ମଝିରେ ମଝିରେ ଯାତ୍ରୀ ଓହ୍ଲାଇ ଗଲେ ସୁବିଧା କରିନେବୁ, ଆଶା ଥାଏ; କିନ୍ତୁ ଆମ ଭାଗ୍ୟକୁ ସେ ଡବାରେ ଅନେକଙ୍କ ଟିକଟ ଥାଏ ବମ୍ବେ ପର୍ଯ୍ୟନ୍ତ । ଦୀର୍ଘନିଃଶ୍ୱାସ ଛାଡ଼ି ରହିଲୁ । ପ୍ରାୟ ଛଅ ଘଣ୍ଟା ପରେ ନାଗପୁର ପହଞ୍ଚିଲା ବେଳକୁ ଜଣ ଜଣ ହୋଇ ସମସ୍ତେ କୌଣସି ମତେ ବସିବା ପାଇଁ ଆସନ କରିନେଲୁ । ୱାର୍ଦ୍ଧା, ମନମାଡ୍‍, ଭୁସାୱଲ ପ୍ରଭୃତି ଗଲା ପରେ ପ୍ରାୟ ସକାଳ ୬ଟା ବେଳେ ଇଗତପୁରୀ ଷ୍ଟେସନରେ ପହଞ୍ଚିଲୁ ।

 

ନାଗପୁରରୁ, ବମ୍ବେ ପର୍ଯ୍ୟନ୍ତ ଯୋଡ଼ାଏ ଲାଇନ୍—ଗୋଟାଏ ବମ୍ବେ ଆଡ଼କୁ ଯାଉଥିବା ଗାଡ଼ିମାନଙ୍କ ପାଇଁ, ଆଉ ଗୋଟାଏ ଆସୁଥିବା ଗାଡ଼ିମାନଙ୍କ ପାଇଁ । ଇଗତପୁରୀରେ ଆହୁରି ଏକ ପରିବର୍ତ୍ତନ ହୁଏ । ଏହିଠାରୁ ଇଲେକ୍‍ଟ୍ରିକ୍ ଟ୍ରେନ ଚାଲେ ଏବଂ ପଶ୍ଚିମ ଘାଟର ଗିରିସଙ୍କଟ ମଧ୍ୟ ଦେଇ ଗତି କରିବାକୁ ହୁଏ । ଏହି ପାର୍ବତ୍ୟ ଅଞ୍ଚଳରେ କେତେଗୁଡ଼ିଏ ସୁଡ଼ଙ୍ଗ ମଧ୍ୟ ଦେଇ ରେଳ ଯାଏ । ଉପରେ ବିଜୁଳି ଶକ୍ତି ଯୋଗାଇବା ପାଇଁ ଛନ୍ଦାଛନ୍ଦି ତାରର ଜାଲ । ଆହୁରି କେତେ ପ୍ରକାର ତାର, ଆହୁରି ଆହୁରି ଲୁହା ଖୁଣ୍ଟି । ମନେ ହେଲା ଏ ରାଜ୍ୟର ଆକାଶରେ ବୋଧହୁଏ ତାରବାଡ଼ ଦେଇ ସାରିଛନ୍ତି । କିଏ ଜଣେ ପଚାରିଲା, “ଇଲେକଟ୍ରିକ ଟ୍ରେନ୍ କାହିଁ ?” ସେ ବୋଧହୁଏ ଭାବିଥିଲା ତାଙ୍କ ବଲାଙ୍ଗିର ପାୱାର ହାଉସର ଇଞ୍ଜିନ ଭଳି ଇଞ୍ଜିନ ଚାଲିବ, ଏକ କିମ୍ଭୂତ କିମାକାର ନୂଆ ଗାଡ଼ି ହୁଏତ ବଦଳିବ; ଆଉ ସେ ଖାଲି ଦଉଡ଼ିବ ପବନ ବେଗରେ । ନାଇଁ, ତା ନୁହଁ, ସେଇ ଗାଡ଼ିଟା ଗୋଟାଏ ଲୁହା ବାଡ଼ି ଲଗା ଇଞ୍ଜିନ ବଦଳାଇ ଦେଲେ ଇଲେଟ୍ରିକ୍‍ ଟ୍ରେନ୍ ହୋଇଗଲା । ହଠାତ୍ ସେ କିପରି ଅବିଶ୍ୱାସର ଭାବ ଦେଖାଇଲା । କିଶୋରୀଲାଲ କିନ୍ତୁ ସେତେବେଳ ସୁଦ୍ଧା ପଚାରୁଥାଏ, “ବମ୍ବେ ଯାଉଚୁ ତ ?” ସମସ୍ତେ ହସି ଦିଅନ୍ତି ।

 

କଲ୍ୟାଣ ଜଙ୍କସନକରୁ ଭାରତର ପ୍ରଧାନ ଭୁଖଣ୍ଡ ଛାଡ଼ି ରେଳ ବମ୍ବେ ଦ୍ଵୀପ ଅଭିମୁଖରେ ଗତି କରେ । ଦିନ ଥିଲା, ସମୁଦ୍ର ଉପରେ ଏହି ଲାଇନ ଯାଉଥିଲା । କାଳକ୍ରମେ ଏହି ଅଗଭୀର ସମୁଦ୍ର ଏତେ ଦୂରକୁ ଘୁଞ୍ଚିଗଲାଣି ଯେ, ବମ୍ବେ ଯାତ୍ରୀ ପକ୍ଷରେ ବମ୍ବେ ଏକ ଦ୍ଵୀପ ବୋଲି ଜାଣିବା ସହଜ ନୁହେଁ । ତଥାପି ସ୍ଥାନେ ସ୍ଥାନେ ସମୁଦ୍ର ଲାଇନ୍‍ର ନିକଟ ପର୍ଯ୍ୟନ୍ତ ଆସିଥିବା ଦେଖାଯାଏ । ପ୍ରାୟ ଏହି ସମୁଦାୟ ଦ୍ଵୀପଟି ବୃହତ୍ତର ବମ୍ବେର ଅନ୍ତର୍ଗତ । ଏହି ମହାନଗରୀର ଲୋକସଂଖ୍ୟା ପ୍ରାୟ ୨୮ ଲକ୍ଷ । ଏହା ବମ୍ବେ ପ୍ରଦେଶର ରାଜଧାନୀ ଏବଂ ଭାରତର ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏପରିକି ଏ ମଧ୍ୟରେ ଏହାକୁ ଭାରତର ଦ୍ୱିତୀୟ (ଅର୍ଥନୀତିକ) ରାଜଧାନୀ କରିବା ପ୍ରସ୍ତାବ ମଧ୍ୟ ଉଠିଥିଲା । ଏହି ଅଞ୍ଚଳରେ ଅଧିକ କପା ହେଉଥିବାରୁ ଭାରତର ପ୍ରଧାନ ପ୍ରଧାନ ଲୁଗାକଳଗୁଡ଼ିକ ବମ୍ବେ ଓ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ସୂତା ଆଉ ଲୁଗା ଉଭୟର ଉତ୍ପାଦନ ଏବଂ ରପ୍ତାନିର କେନ୍ଦ୍ର ହୋଇଥିବାରୁ ବମ୍ବେକୁ ଭୌଗୋଳିକମାନେ ଭାରତର ମାଞ୍ଚେଷ୍ଟର ଓ ଲିଭରପୁଲ୍ କହନ୍ତି । ଲୋକେ ସାଧାରଣତଃ ଭାରତର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଧନଶାଳୀ ଓ ସେମାନଙ୍କ ଜୀବନଧାରଣର ମାନ ଅପେକ୍ଷାକୃତ ଉନ୍ନତ ।

★★★

 

–ପ୍ରଥମଦିନ–

 

ସେହି ବମ୍ବେ । ଦୂରରୁ ତାହାର ସୌଧ ସବୁ ଦୃଷ୍ଟି ଆକର୍ଷଣ କରେ । ଘରଗୁଡ଼ିକ ପ୍ରାୟ ପାଞ୍ଚ ମହଲା, ପୁଣି ଏପରି ଧାଡ଼ି ଧାଡ଼ି ହୋଇ ସଜ୍ଜିତ ହୋଇଛି ଯେ ଦୂରରୁ ମନେ ହୁଏ କିଏ ଗୋଟାଏ ଷ୍ଟଲ୍‍ ସଜେଇଛି । ନିକଟକୁ ଆସିଲେ ସୌଧଗୁଡ଼ିକର ସ୍ଵରୂପ ପ୍ରକାଶିତ ହୋଇପଡ଼େ । ଷ୍ଟେସନ ପରେ ଷ୍ଟେସନ ଯାଉଛି । ଅସଲ ବମ୍ବେ ମଧ୍ୟ ଦେଇ ୧୦ଟି ଷ୍ଟେସନ ଅଛି । ଅଧଘଣ୍ଟାଏ ଘଣ୍ଟାଏ ଛାଡ଼ି ଗୋଟାଏ ଗୋଟାଏ ଲୋକାଲ୍ ଟ୍ରେନ ଯିବା ଆସିବା କରେ । ତଥାପି ସବୁ ଟ୍ରେନରେ ଭିଡ଼ । କେତେ ଟ୍ରେନ୍, କି ଜନଗହଳି, କ ଭିଡ଼ ! ସବା ଶେଷରେ ଆମେ ଆସି ପହଞ୍ଚିଲୁ ଭିକ୍ଟୋରିଆ ଟାର୍ମିନ୍‍ସ ଷ୍ଟେସନରେ । ମହାରାଣୀ ଭିକ୍ଟୋରିଆଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଥିଲା । ଷ୍ଟେସନ୍‍ର ମଝିରେ ଏକ ଉଚ୍ଚ ଟାୱାର ଉପରେ ଭିକ୍ଟୋରିଆଙ୍କର ଏକ ମାର୍ବଲ ମୂର୍ତ୍ତି ଅଛି । ଭାରତର ଏ ଗୋଟାଏ ବଡ଼ ଷ୍ଟେସନ୍ । ଏଠି ତେରଗୋଟି ପ୍ଲାଟ୍‍ଫର୍ମ ଅଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କଗଯାଇଛି । ପଶ୍ଚିମାଞ୍ଚଳ ଓ ମଧ୍ୟାଞ୍ଚଳ ରେଳପଥର ପ୍ରଧାନ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଷ୍ଟେସନ ନିକଟରେ ଅବସ୍ଥିତ ।

 

ସେତେବେଳକୁ ସାଢ଼େ ଏଗାରଟା ସମୟ ଅତୀତ ହୋଇ ଯାଇଥିଲେ ମଧ୍ୟ ବମ୍ବେ ପହଞ୍ଚିଗଲା ପରେ କିପରି ଏକ ଉନ୍ମାଦନା ଆସିଲା । ସମସ୍ତେ ଏକ ପ୍ରକାର ଭୋକ ଶୋଷ ଭୁଲିଛନ୍ତି । ପୁରୁଷୋତ୍ତମ କ୍ଷେତ୍ରରେ ପ୍ରତି ଟ୍ରେନ୍ ପହଞ୍ଚିବା ସଙ୍ଗେ ସଙ୍ଗେ ଯାତ୍ରୀ ଭିଡ଼ ସହିତ ପଣ୍ଡାଙ୍କର ଯେପର ଭିଡ଼ ଦେଖାଯାଏ, ଆଉ ପ୍ରଶ୍ନ ଉପରେ ପ୍ରଶ୍ନ “ବାବୁ, ଆପଣଙ୍କ ନିବାସ ?” ଶୁଣିବାକୁ ମିଳେ, ଭି. ଟି.(ଭିକ୍ଟୋରିଆ ଟାର୍ମିନ୍‍ସ)ରେ ପହଞ୍ଚି ଆମର ସେହପରି ଅନୁଭୂତି ହେଲା । ଏମାନେ ତୀର୍ଥର ପଣ୍ଡା ନୁହନ୍ତି, ବମ୍ବେର ବହୁ ସଂଖ୍ୟକ ହୋଟେଲ ବ୍ୟବସାୟୀଙ୍କର ସେମାନେ ଏଜେଣ୍ଟ ବା ଟାଉଟର । ନୂଆ ମଣିଷ ପକ୍ଷରେ ସେମାନଙ୍କ ସାହାଯ୍ୟ ଅବଶ୍ୟ ଉପକାର କରେ, କିନ୍ତୁ ତାଙ୍କ ମଧ୍ୟରେ ବେଳେବେଳେ ଦୁଷ୍ଟ ପ୍ରକୃତିର ଲୋକ ରହି ସରଳ ଯାତ୍ରୀମାନଙ୍କ ସର୍ବନାଶ କରନ୍ତି । ତେଣୁ ଏମାନଙ୍କୁ ବିଶ୍ଵାସ କରିବା ପୂର୍ବରୁ ଟିକିଏ ଭାବିବା ଦରକାର ହୁଏ । ସେମାନେ ଏହି ବ୍ୟବସାୟ କରି ଚଳନ୍ତି । କୌଣସି ହୋଟେଲରେ କାହାକୁ ନେଇ ବ୍ୟବସ୍ଥିତ କରାଇଦେବା ପରେ, ମୁଁଣ୍ଡ ପିଛା ଦିନକୁ ହୋଟେଲ ମାଲିକ ଯାହା ପାଇବେ, ତାର ଏକ-ଚତୁର୍ଥାଂଶ ଏମାନେ ହୋଟେଲ ମାଲିକଠାରୁ ସଙ୍ଗେ ସଙ୍ଗେ କମିଶନ ଆକାରରେ ପାଆନ୍ତି । ସେହି ହିସାବରେ ଆମ ଦଳ ଯେଉଁ ହୋଟଲରେ ପହଞ୍ଚନ୍ତେ, ତାର ଦୈନକ ଭଡ଼ା ଟ ୫୧ ହେଲେ ହୋଟେଲବାଲାଠାରୁ ଏଜେଣ୍ଟ ପ୍ରାୟ ଟ ୨୮୧ କମିଶନ ପାଆନ୍ତା, ତେଣୁ ଆମକୁ ଭି. ଟି. ରେ ତିନି ଜଣ ଆସି ବେଢ଼ିଲେ । ଆମେ ଆଗରୁ ଦୁଇଟି ସ୍ଥାନକୁ ଲେଖାଲେଖି କରି କୌଣସି ଉତ୍ତର ପାଇ ନ ଥିଲୁ । ତଥାପି ପ୍ରଥମେ ସେହିମାନଙ୍କ ବ୍ୟବସ୍ଥାର ଖୋଜ ନେବା କଥା ସ୍ଥିର ହେଲା । ଫୋନରେ ଜଣକଠାରୁ ଖବର ନିଆଗଲା ସେ ଯାଗା ନାହିଁ । ଅନ୍ୟଟିର ନାମ “ଶିପ୍ ହୋଟେଲ”—ଭି. ଟି. ରୁ ପ୍ରାୟ ଏକ ଫର୍ଲଂ ବାଟ ।

 

ଶିପ୍‍ ହୋଟେଲର ମାଲିକ ଶ୍ରୀ ଜଗନ୍ନାଥ ମହାନ୍ତି ଜଣେ ଓଡ଼ିଆ ଲୋକ । ସେ ଆଜିକି ପ୍ରାୟ ୧୨ ବର୍ଷ ହେବ ବମ୍ବେରେ ହୋଟେଲ କରି ରହିଛନ୍ତି । ଶ୍ରୀ ମହାନ୍ତିଙ୍କ ବ୍ୟବହାର ଭଦ୍ର । ବିଶେଷତଃ ଓଡ଼ିଶାର ଲୋକେ ଆମ୍ଭେମାନେ, ତଦୁପରି ଶିକ୍ଷକ ଆଉ ଛାତ୍ର । ସେ ଆମର ଚିଠି ଅନୁସାରେ ଦୁଇ ଦିନ ଘର ରିଜର୍ଭ କରି ରଖିଥିଲେ, କିନ୍ତୁ ଆମେ ପହଞ୍ଚିବାରେ ବିଳମ୍ବ ହେବାରୁ ଠିକ୍ ସେହି ଦିନ ସକାଳେ ଜଣେ ନବାଗତ ବଙ୍ଗାଳି ଭଦ୍ରଲୋକଙ୍କ ପରିବାରକୁ ଘରଟି ଦେଇଥିଲେ । ତଥାପି ଶ୍ରୀ ମହାନ୍ତି କଷ୍ଟ ସ୍ୱୀକାର କରି ପ୍ରାୟ ଛଅଟି ହୋଟେଲରେ ବୁଝି ଜାଗା ନ ପାଇ ଶେଷରେ ଏକ ଲଜିଙ୍ଗ ହୋମରେ (କେବଳ ରହିବା ଘର, ଖାଇବାର ବନ୍ଦୋବସ୍ତ ନାହିଁ) ବ୍ୟବସ୍ଥା କରିଦେଲେ-। ସେ ହୋଟେଲର ନାମ ମେରିନା ହୋଟେଲ । ଆମେ ଚତୁର୍ଥ ତଳରେ ଗୋଟିଏ ହଲ ଓ ଆଉ ଗୋଟିଏ ଛୋଟ ରୁମ୍ ପାଇଲୁ । ୨୫ ଟି ନୂଆ ଲୁହା ସ୍ପ୍ରିଙ୍ଗ ଖଟ ଓ ନୂଆ ନୂଆ ଗଦି ଥାଏ । ଆଲୁଅ ଆଉ ପାଣିର ସୁବନ୍ଦୋବସ୍ତ ଥାଏ । ପାଖରେ ଅନ୍ୟ ବଡ଼ ଘର ବେଶି ନ ଥିବାରୁ ବାୟୁମଣ୍ଡଳ ନିର୍ମଳ-। ବଡ଼ ବଡ଼ ଝରକା ଥିବାରୁ ଘରଟି ସର୍ବଦା ଆଲୋକିତ ଥାଏ ମଧ୍ୟ । ଏ ସବୁ କରି ଲୁଗାପଟା ଥୋଇଲା ବେଳକୁ ପ୍ରାୟ ୨ଟା । ଆମେ ଚଞ୍ଚଳ ଚଞ୍ଚଳ ଗାଧୁଆ ସାରି, ଲୁଗାପଟା ବଦଳାଇ ପୁଣି ତଳକୁ ଚାଲି ଆସିଲୁ ନିକଟବର୍ତ୍ତୀ ଖାଇବା ହୋଟେଲକୁ । ଖାଇ ସାରିଲା ବେଳକୁ ସାଢ଼େ ତିନିଟା-। ଛାତ୍ରମାନଙ୍କୁ କୁହାଗଲା ଯାଇ ବିଶ୍ରାମ କରିବାକୁ । ସେତେବେଳେ ଜଣେ କିଶୋରୀଲାଲକୁ ପଚାରିଲା, “କିହୋ କିଶୋରୀ, ବମ୍ବେ ଆସିଲ ତ ?” କିଶୋରୀଲାଲ ଟିକେ ସଲ୍ଲଜ ହସି ହସି କହିଲା,”କେଜାଣି ? ମୋର ତଥାପି ବିଶ୍ୱାସ ନାହିଁ । ମୁମ୍ବା ଦେବୀ ଦର୍ଶନ କଲା ପର୍ଯ୍ୟନ୍ତ ଆଉ ବମ୍ବେ ହାଲୁଆ କଣିଲା ପର୍ଯ୍ୟନ୍ତ ଅନ୍ତତଃ ଅପେକ୍ଷା କରିବାକୁ ହେବ ।” ରବି କହିଲା, “ହଁ, ହଁ, ଦେବାଲି ଆସୁଛି । ମାରୁଆଡି ଲୋକ । ବମ୍ବେ ହାଲୁଆ ନ ନେଲେ ହେବ ?”

 

କିନ୍ତୁ ବମ୍ବେ ପହଞ୍ଚି ଶୋଇବାକୁ ରାଜି ହେବ କିଏ ? ସମସ୍ତେ ଅସ୍ଥିର, କିପରି ବାହାରି ପଡ଼ିବେ । ନିଜକୁ ବି ଅବଶ୍ୟ ସେଥିରୁ ବାଦ୍ ଦେଇ ହେଉ ନାହିଁ । ତଥାପି ଛାତ୍ରମାନଙ୍କର ସ୍ୱାସ୍ଥ୍ୟ ନେଇ ତ ଗୋଟାଏ ଦାୟିତ୍ଵ ଅଛି । ମେଲ୍‍ ରେ ରାତିର ଅନିଦ୍ରା, କ୍ଳାନ୍ତି–ଏଗୁଡ଼ାକ ତ ପୁଣି ବିଚାର୍ଯ୍ୟ । କ୍ଳାନ୍ତିରେ ସମସ୍ତଙ୍କ ମୁହଁଟି ମାନ ନିଷ୍ପ୍ରଭ ଦିଶୁଥାଏ—ଆଖି ପତାରେ କିପରି ଏକ ଅବସାଦର ଛାୟା-। ତଥାପି ନୂଆର ସନ୍ଧାନରେ ଜୀବନ ଓ ଜୀବତର କ୍ଳାନ୍ତି ନାହିଁ । ସମସ୍ତେ ମୋର ପ୍ରସ୍ତାବ ତଥା ଅନୁରୋଧକୁ ସମସ୍ଵରରେ ନାମଞ୍ଜୁର କଲେ । ତେଣୁ ସେମାନଙ୍କ ପାଖରୁ ଘଣ୍ଟାକର ଛୁଟି ନେଇ ବନ୍ଧୁଙ୍କ ସଙ୍ଗରେ ବାହାରିଲି ପୁଣି ସେ ଶିପ୍ ହୋଟେଲ, ଜଣେ ଗାଇଡ୍ ଠିକ୍ କରିବାକୁ, ଯେପରିକ ଆମ୍ଭେମାନେ ଆମର ଚାରି ପାଞ୍ଚ ଦିନର ରହଣି ଭିତରେ ବମ୍ବେର ଅଧିକାଂଶ ଦର୍ଶନୀୟ ସ୍ଥାନ ଓ ଅନୁଷ୍ଠାନ ଦେଖି ପାରିବୁ । ଶ୍ରୀ ମହାନ୍ତି ଏ ବିଷୟରେ ମଧ୍ୟ ଆମର ସହାୟ ହେଲେ ଏବଂ ଆମ ସଙ୍ଗରେ ଦେଲେ ଜଣେ ବହୁଦିନର ବମ୍ବେବାସୀ ମଧ୍ୟପ୍ରଦେଶୀ ମଧ୍ୟମବୟସ୍କ ଗାଇଡ୍ ଶ୍ରୀ ଲକ୍ଷ୍ମୀନାରୟଣ ଚୌବେଜୀ । ଆମ୍ଭେମାନେ ସମସ୍ତେ ଅନୁଭବ କଲୁ ଯେ ଚୌବେଜୀ ଅକ୍ଳାନ୍ତ ଭାବରେ ଆମର ଯାତ୍ରୀଦଳ ସହିତ ଯାତ୍ରୀ ସାଜି ଧୈର୍ଯ୍ୟର ସହିତ କାର୍ଯ୍ୟ କରି ନ ଥିଲେ ଆମେ ବମ୍ବେକୁ ଯେପରି ଦେଖିଲୁ, ହୁଏତ ତାହା ସମ୍ଭବ ହୋଇ ନ ଥାନ୍ତା । ଚୌବେଜୀଙ୍କ ପାଖରୁ ମଧ୍ୟ ଶୁଣିଲୁ ଯେ ଶ୍ରୀ ମହାନ୍ତିଙ୍କ ସହ ତାଙ୍କ ବନ୍ଧୁତାର ଅନୁରୋଧରେ ସେ ଆମ୍ଭମାନଙ୍କର ସବୁ ପ୍ରକାର ସୁବିଧା କରିବାରେ ତତ୍ପର ଥିଲେ । ତେଣୁ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଶ୍ରୀ ମହାନ୍ତି ହିଁ ଆମର ସବୁ ପ୍ରକାର ସୁବିଧା ପାଇଁ ଦାୟୀ ହେଲେ ।

 

ପ୍ରାଥମିକ ବ୍ୟବସ୍ଥାନୁଯାୟୀ ଆମ୍ଭେମାନେ ସେହିଦିନ ପ୍ରିନ୍ସ ଅଫ୍‍ ବେଲସ୍‍ ମ୍ୟୁଜିଅମ୍ ଦେଖି “ଭାରତ ତୋରଣ” ବା Gateway of India ଦେଖିବାକୁ ଗଲୁ । ମିଉଜିଅମଟିରେ ଅନେକଗୁଡ଼ିଏ ଦର୍ଶନୀୟ ଓ ଶିକ୍ଷଣୀୟ ପଦାର୍ଥ ସୁରକ୍ଷିତ ହୋଇ ରହିଛି । ବମ୍ବେରେ ଦୁଇଟି ବଡ଼ ମ୍ୟୁଜିଅମ୍ । ପ୍ରିନ୍ସ ଅଫ ବେଲ୍ସ ମ୍ୟୁଜିଅମ୍ ସେ ମଧ୍ୟରୁ ଗୋଟିଏ । ଏହି ସମୟରେ ମ୍ୟୁଜିଅମ୍ ସପ୍ତାହ ପାଳିତ ହେଉଥିବାରୁ ମ୍ୟୁଜିଅମର ଗୁମ୍ବଜ ଉପରେ ବୈଦ୍ୟୁତିକ ଆଲୋକମାଳା ଖଚିତ ହୋଇଥାଏ-। ସଞ୍ଜ ପରେ ପରେ ସେ ଆଲେକ ସବୁ ଜଳି ଉଠିଲା । ଦୂରରୁ ଦେଖିବାକୁ ସେ ଦୃଶ୍ୟ ଅତି ମନୋହର । ଗେଟ୍ ଅଫ୍ ଇଣ୍ଡିଆ ଏକ ପ୍ରକାଣ୍ଡ ତୋରଣ । ୧୯୧୧ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡେଶ୍ଵର ପଞ୍ଚମ ଜର୍ଜ ଭାରତ ସିଂହାସନରୋହଣ ପାଇଁ ଆସି ପ୍ରଥମେ ଏହି ସ୍ଥାନରେ ଭୂମିରେ ପଦାର୍ପଣ କରିଥିଲେ । ଗେଟ୍ ଅଫ୍ ଇଣ୍ଡିଆ ସେହି ଘଟଣାର ସ୍ମୃତିସ୍ତମ୍ଭ ରୂପେ ରହିଅଛି । ଏହି ଅଞ୍ଚଳରେ ବମ୍ବେର ପୋତାଶ୍ରୟ ଅବସ୍ଥିତ । ଏହି ପାଖର ଦୀର୍ଘ ଉପକୂଳରେ ପଥର ବନ୍ଧ ରହିଅଛି ଏବଂ ମଧ୍ୟେ ମଧ୍ୟେ ପାଣି ପାଖକୁ ଯିବା ପାଇଁ ପାହାଚ ସବୁ ପଡ଼ିଛି । ପାହାଚ ପାଖେ ପାଖେ ବହୁ ସଂଖ୍ୟକ ନାନା ଜତୀୟ ନୌକା ଓ ଲଞ୍ଚ ସବୁବେଳେ ଦେଖିବାକୁ ମିଳେ । ବନ୍ଧ ଉପରେ ବିସ୍ତୁତ ପ୍ରାଙ୍ଗଣ ପରି ଖୋଲା ଜାଗା । ସେଇଠି ୧୯୧୧ ଖ୍ରୀଷ୍ଟାବ୍ଦରେ ଭାରତରେ ଥିବା ରାଜପ୍ରତିନିଧି ବା ଭାଇସରାୟ ଲର୍ଡ ହାର୍ଡିଞ୍ଜଙ୍କର ଗୋଟିଏ ମାର୍ବଲ ପ୍ରତିମୂର୍ତ୍ତି ଅଛି । ଗେଟ୍ ଅଫ୍ ଇଣ୍ଡିଆର ଅଦୂରରେ ତାଜମହଲ ହୋଟେଲ । ଏହି ହୋଟେଲ ତାର ବ୍ୟବସ୍ଥା ପ୍ରାଚୁର୍ଯ୍ୟ ପାଇଁ ପ୍ରସିଦ୍ଧ । ସାୟଂ କାଳରେ ଏହି ଅଞ୍ଚଳ ଭ୍ରମଣ ଓ ଅବସର ବିନୋଦନ ପାଇଁ ଆସିଥିବା ବହୁ ନରନାରୀଙ୍କ କୋଳାହଳରେ ମୁଖରିତ ହୋଇ ଉଠେ । ଆମ୍ଭେମାନେ ସେହି ଅଞ୍ଚଳ ବୁଲି ଦେଖି ଫେରିଲା ବେଳକୁ ରାତି ହୋଇ ଯାଇଥାଏ । ଟାଉନ୍ ହଲ୍ ନିକଟରେ ହଠାତ୍ ଜଣେ କହି ଉଠିଲା, “ଆଜ୍ଞା, ଆଜ୍ଞା, ଏ ଗୋଟାଏ କ’ଣ ଘର ଆସୁଛି ?” ଦୋ ମହଲା ବସ୍ ଦେଖିବା ତା ଜୀବନରେ ପ୍ରଥମ । ସେହିପରି ଗୋଟାଏ ବସ୍‍ ରେ ଚଢ଼ାଇ ଦେବାର ପ୍ରତିଶ୍ରୁତି ଦେଇ ଆସୁ ଆସୁ ବାଟରେ ପଡ଼ିଲା ଭାରତ ସରକାରଙ୍କ ମୁଦ୍ରାଶାଳା । ଘରର ଝରକା, ଦୁଆରଗୁଡ଼ିକ ଅତି ଦୃଢ଼ ଭାବରେ ଲୁହା ଛଡ଼, ତାର ଦେଇ ସୁରକ୍ଷିତ, ଦୁଆରେ ସଶସ୍ତ୍ର ପ୍ରହରୀ । ଅଦୂରରେ ଏସିଏଟିକ୍ ସୋସାଇଟୀର ପ୍ରକାଣ୍ଡ ଲାଇବ୍ରେରୀ ଓ ହଲ୍ । ଏହି ଅଞ୍ଚଳ ବମ୍ବେର ଗୋଟିଏ ପାଖ । ଏ ପାଖରେ ଜାହାଜ କାରବାର ହୁଏ । ମେରିନ୍ ହୋଟେଲର ଠିକ୍ ପଛପଟରେ ଆଲେକ୍‍ଜାଣ୍ଡ୍ରା ଡକ୍ ଓ ଅତି ନିକଟରେ ମିଣ୍ଟ୍‍ ଥାଏ । ସେଠି ଜାହାଜ ତିଆରି କାରଖାନା ଅଛି । ରାତି ପ୍ରାୟ ୯ଟା ବେଳେ ହୋଟେଲକୁ ଫେରିଲା ବେଳକୁ ରାସ୍ତାଗୁଡ଼ିକରେ ଅଳ୍ପ ଲୋକଙ୍କର ଚଳାଚଳ ଥାଏ । ଯାନବାହନ ମଧ୍ୟ କ୍ଵଚିତ୍ ଯିବା ଆସିବା କରୁଥାଏ । ସହରର ଅତି ପ୍ରଶସ୍ତ ପିଚୁଦିଆ ଚିକ୍କଣ ରାସ୍ତାଗୁଡ଼ିକରେ ଆଲୋକ ପଡ଼ି ଚିକ୍ ଚିକ୍ କରୁଥାଏ । ଏ ଅଞ୍ଚଳରେ ଲୋକ ଭିଡ଼ ଏତେ ନ ଥିଲେ ମଧ୍ୟ ରାତି ୯ଟାରେ ଏପରି ଏକ ନିସ୍ତବତା କଳ୍ପନାର ଅତୀତ । ପରେ ଗାଇଡଙ୍କ ପାଖରୁ ଶୁଣିଲୁ ଯେ ସରକାର କୁଆଡ଼େ ଆଇନ କରି ଦେଇଛନ୍ତି ଯେ, ରାତି ୯ଟା ବେଳେ ସବୁ ବ୍ୟବସାୟୀ ଦୋକାନ ବନ୍ଦ କରିବେ ଏବଂ ହୋଟେଲ ସବୁ ଖୁବ୍ ବେଶୀ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରଖାଯାଇ ପାରିବ । ସେଥିପାଇଁ ରାତି ୯ଟା ବେଳକୁ ଆଉ ଲୋକ ଗହଳି ନ ଥାଏ । ମଝିରେ ମଝିରେ ଗରମ ଯୋଗୁଁ ବାହାରେ ଖୋଲା ଆକାଶ ତଳେ ଖଟ ପକାଇ ସଡ଼କ ଧାରରେ ଶୋଇଥିବା ଅବସ୍ଥାରେ ମଧ୍ୟ ଲୋକଙ୍କୁ ଦେଖିଲୁ । ଆହୁରି ଦଳେ ଦଳେ ପଖକ ବଜାଇ କିର୍ତନ ଓ ସଂଗୀତ ଆମୋଦରେ ସମୟ କ୍ଷେପଣ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଲା ।

★★★

 

–ଦ୍ଵିତୀୟ ଦିନ–

 

ତହିଁ ଆରଦିନ ସକାଳ ପ୍ରାୟ ୮ଟା ବେଳେ ଚୌବେଜୀ ଗୋଟାଏ ଛୋଟ ଭଡ଼ା ବସ୍ ନେଇ ହାଜର ହେଲେ । ଆମ ଚାଲିଲୁ ପ୍ରାୟ ୨୨ ମାଇଲ ଦୂରରେ ଥିବା ଦୁଗ୍‍ଧାଳୟ ବା ମିଲ୍କ କଲୋନୀ ଦେଖିବାକୁ । ଏହା ଏକ ସରକାରୀ ଅନୁଷ୍ଠାନ । ୧୯୫୧ ରେ ବମ୍ବେ ସରକାର ଏକ ତିନିମହଲା କୋଠାରେ ଏହାର କଳକବଜା ବସାଇଛନ୍ତି । କିନ୍ତୁ ଏହି ଉପନିବେଶ ପାଇଁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ନିଆଯାଇଛି ଗୋଟାଏ ଅନୁଚ ପାହାଡ଼ ଉପରେ । ସେଠାରେ ପ୍ରାୟ ୧୫୦୦୦ ମଇଁଷିଙ୍କ ରହିବା ଯାଗା ଓ ପାଳନ ଓ ଶ୍ରମିକମାନଙ୍କର ଘର ରହିଛି । ମଇଁଷିଙ୍କ ପାଇଁ ଖାଦ୍ୟ ଓ ଚରାଭୂଇଁର ବ୍ୟବସ୍ଥା ଅଛି । ଉପନିବେଶର କଳ ଘରେ କଞ୍ଚା ଦୁଧ ବଡ଼ ବଡ଼ ଡ୍ରମରେ ଆସି ଜମା ହେଲା ପରେ ତାକୁ ବୈଦ୍ୟୁତ୍ଵିକ ପମ୍ପ୍‍ ସାହାଯ୍ୟରେ ଦୋମହଲାର ଗୋଟାଏ ଟ୍ୟାଙ୍କ ବା ଭଣ୍ଡାରକୁ ନେଇ ୧୧୭°F ଉତ୍ତାପ ପର୍ଯ୍ୟନ୍ତ ଉତ୍ତପ୍ତ କରାଯାଏ ଏବଂ ସଂଗେ ସଂଗେ ୪୦° F କୁ ଶିତଳ କରାଯାଏ । ଜଣେ ଅଫିସର ଆମ୍ଭମାନଙ୍କ ସହିତ ବରାବର ରହି ଆମକୁ ଏ ସମସ୍ତ ବୁଝାଇ କହି ଦେଉଥାନ୍ତି । ଶୁଣିଲୁ ପ୍ରଚାର ଦୃଷ୍ଟିରୁ ଲୋକଙ୍କୁ ଏହିପରି ବୁଝାଇବା ଲାଗି ସରକାରୀ ବ୍ୟବସ୍ଥାନୁଯାୟୀ ସେହି ଅଫିସର ଆମ୍ଭମାନଙ୍କର ସର୍ବପ୍ରକାର ସନ୍ଦେହ ମୋଚନ କରିବା ପାଇଁ ତତ୍ପର ଥିଲେ । ଏହିପରି ଶୀତଳ କରିବାର କାରଣ ସେ କହିଲେ ଯେ ନଚେତ୍ ଦୁଗ୍ଧରେ ଥିବା ଜୀବନଦାୟକ ସଜୀବ କୋଷଗୁଡ଼ିକର ମୃତ୍ୟୁର ସଂଭାବନା ରହିଅଛି । ଏହିପରି ଉତ୍ତପ୍ତ ଓ ଶୀତଳ କରିବା ପ୍ରଣାଳୀକୁ Pasteurization କହନ୍ତି । ତାହା ପରେ ଏହି ଦୁଗ୍ଧ କଳଚାଳିତ ବୋତଲମାନଙ୍କରେ ଭରି ତହିଁରେ ନୀଳ ରଙ୍ଗର ଠିପି ଦେଇ ସେର ଟ ଦରରେ ବିକ୍ରୟ କରିବାର ବ୍ୟବସ୍ଥା କରାଯାଏ । ଏହି ଦୁଗ୍ଧରେ ତୈଳଜାତୀୟ ଖାଦ୍ୟସାରର ପରିମାଣ ଶତକଡ଼ା ୭ ।

 

ଏତଦ୍‍ବ୍ୟତୀତ ଅନ୍ୟ ଏକ ପ୍ରକାର ଦୁଗ୍ଧ ପ୍ରସ୍ତୁତ କରିବାର ମଧ୍ୟ ବ୍ୟବସ୍ଥା ଅଛି । ଏହାକୁ Toned milk କହନ୍ତି । ନିୟୁଜଲାଣ୍ଡରୁ ଆସୁଥିବା ଦୁଗ୍ଧଗୁଣ୍ଡ ସହିତ ଭଲ ଦୁଗ୍ଧ ପ୍ରାୟ ସମାନ ପରିମାଣରେ ମିଶାଇ Pasteurization ପରେ ଧଳା ଠିପି ବୋତଲରେ ଭରାଯାଏ ! ଏଥରେ ତୈଳଜାତୀୟ ଖାଦ୍ୟପରିମାଣ ୩ %; ଏହାର ମୂଲ୍ୟ ସେର ଟ° \r । ରୋଗୀ ଓ ଶିଶୁମାନଙ୍କ ପକ୍ଷରେ ଏହା ଅଧିକ ଉପଯୋଗୀ ।

 

ଶୁଣିଲୁ ଏହିପରି ପ୍ରତିଦିନ ପ୍ରାୟ ଚାରି ଲକ୍ଷ ବୋତଲରେ ଦୁଗ୍ଧ ପୂର୍ଣ୍ଣ କରି ଅନୁଷ୍ଟାନର ଗାଡ଼ିମାନଙ୍କରେ ନେଇ ବିଭିନ୍ନ ସ୍ଥାନରେ ଯୋଗାଇ ଦେଇ ଆସନ୍ତି । ସହରର ଚାହିଦା ପାଇଁ ତଥାପି ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଲେ ।

 

ଏହିପରି ଏକ ସରକାରୀ ଅନୁଷ୍ଠାନ ଦ୍ଵାରା ଲୋକଙ୍କୁ ସୁଲଭ ମୂଲ୍ୟରେ ବିଶୁଦ୍ଧ ଦୁଗ୍ଧ ଯୋଗାଇ ଦେବାର ବ୍ୟବସ୍ଥା ଦେଖି ଆମ୍ଭେମାନେ ମୁଗ୍ଧ ହେବା ସଂଗେ ସଂଗେ କଳ୍ପନା କରୁଥାଉଁ କେଉଁଦିନ ଆମ ରାଜ୍ୟରେ ଅଥବା ଦେଶରେ ସର୍ବତ୍ର ଏହିପରି ଅନୁଷ୍ଠାନ ଆବଶ୍ୟକତାନୁଯାୟୀ ପ୍ରତିଷ୍ଠିତ ହେବ ।

 

ଦୁଗ୍ଧ ଉପନିବେଶରୁ ଫେରିବା ବାଟରେ ବଡ଼ ବଡ଼ ପାଇପ୍ ଲାଇନ୍ ସବୁ ଦେଖିଲୁ । ଆମ ହୋଟେଲରେ ଗାଧୁଆ ପାଇପ୍‍ କିମ୍ବା ଖାଇବା ହୋଟେଲରେ ହାତଧୁଆ ଟେପ୍‍କୁ ଖୋଲି ଦେଲେ ଯେଉଁ ପାଣି ଝରେ ଏହି ପ୍ରକାଣ୍ଡ ପାଇପ୍‍ ଲାଇନ୍‍ର ସେ ଗୋଟିଏ ଗୋଟିଏ ଶାଖା ଧାର । ବମ୍ବେର ଜଳ ଯୋଗାଣ ପାଇଁ ସହରରୁ ୭୨ ମାଇଲ ଦୂରରେ ବ୍ୟବସ୍ଥା କରାଯାଇଛି । ସେଠାରେ ତିନୋଟି କ୍ଷୁଦ୍ର ହ୍ରଦର ଜଳ ଏକତ୍ର ହୁଏ ଏକ ପ୍ରକାଣ୍ଡ ହ୍ରଦରେ—ତନ୍‍ସା (Tansa) ହ୍ରଦରେ ଏବଂ ବଡ଼ ବଡ଼ ପାଇପରେ ଆସି ପୁଣି ଘରେ ଘରେ ଛୋଟ ଛୋଟ ପାଇପ୍ ମଧ୍ୟ ଦେଇ ଝରେ ଓ ଅଧିବାସୀଙ୍କର ଚାହିଦା ଯୋଗାଏ । ସେହିପରି ଏହାର ବୈଦ୍ୟୁତିକ ବ୍ୟବସ୍ଥା ମଧ୍ୟ ହୋଇଥାଏ ପ୍ରାୟ ୬୦ ମାଇଲ ଦୂରବର୍ତ୍ତୀ ଲେନାଭଲାଠାରେ । ପଶ୍ଚିମଘାଟ ପର୍ବତ ଉପରେ ଗିରିନଦୀଗୁଡ଼ିକର ବେଗକୁ ସମ୍ମିଳିତ କରି ଯେଉଁ ଜଳବିଦ୍ୟୁତ୍ ଉତ୍ପନ୍ନ ହୁଏ ସେହି ଶକ୍ତି ବିନିଯୋଗରେ ଆଲୁଅ ଜଳେ ପଙ୍ଖା ଚଳେ, ଟ୍ରାମ ଓ ରେଳ ଚାଲେ, କାରଖାନା ଓ ସିନେମା ଚାଲେ ଘରେ ଘରେ ଫୋନର ଘଣ୍ଟି ବାଜେ, ରେଡିଓର ଗୀତ ଶୁଭେ ।

 

ଉପନିବେଶରୁ ଫେରିଲା ବେଳେ ଗୋଟାଏ ସ୍ଥାନରେ ଏକ ପ୍ରକାଣ୍ଡ ମୂର୍ତ୍ତି ଓ ଯାତ୍ରାର ଆୟୋଜନ ଦେଖିଲୁ । ଚୌବେଜୀଙ୍କୁ ପିଲାଏ ପଚାରିଲେ ତାର ଅର୍ଥ । ଚୌବେଜୀ ଯେ ସେଟା ରାବଣର ପ୍ରତିମୂର୍ତ୍ତି । ବମ୍ବେରେ ଶାରଦୀୟ ଦୁର୍ଗାପୂଜା ସମୟରେ ରାବଣର ଏକ କଳ୍ପିତ ମୂର୍ତ୍ତି ନିର୍ମାଣ କରି ରାବଣ ବଧର ଅଭିନୟ ଅନେକ ସ୍ଥାନରେ କରନ୍ତି । ରାମ ଲକ୍ଷ୍ମଣ ପ୍ରଭୂତି ଭୂମିକାରେ ଅଂଶ ଗ୍ରହଣ କରି ଅଭିନେତାମାନେ ଅଭିନୟ କଲା ପରେ ରାବଣ ବଧର ପ୍ରତ୍ୟକ୍ଷ ପ୍ରମାଣ ରୂପେ ପ୍ରତିମୂର୍ତ୍ତିଟିକୁ ଜାଲି ଦିଆଯାଏ । ରାବଣ ବଦ୍ଧ ପୂର୍ବରୁ ରାମଚନ୍ଦ୍ରଙ୍କର ଦୁର୍ଗାସ୍ତୁତି ବିଷୟକ ପୌରାଣିକ ସମ୍ବାଦର ଭିତ୍ତି ଉପରେ ଏହି ଉତ୍ସବ ପ୍ରତିଷ୍ଠିତ । ଅନ୍ୟ ପକ୍ଷରେ ମହିଷାସୁରମର୍ଦ୍ଧିନୀ ଦଶଭୁଜା ଦୁର୍ଗାଙ୍କର ପୂଜା ପାଇଁ ନିର୍ମିତ ବହୁ ମଣ୍ଡପ ମଧ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼ିଲା । ଅବଶ୍ୟ କଲିକତାର ପୂଜାର ଆଡ଼ମ୍ବର ବା ସାର୍ବଜନୀନ ଉତ୍ସବ ମନୋଭାବ ଦେଖିବାକୁ ନ ମିଳିଲେ ମଧ୍ୟ ହିନ୍ଦୁମାନେ ଶାରଦୀୟ ମହାପୂଜା ଓ ଦଶହରା ପର୍ବ ପାଳନ କରୁଥିବା ଦେଖିଲୁ । ଏ ଅଞ୍ଚଳର ପ୍ରଧାନ ପର୍ବ ଦୀପାବଳୀ । ଦୀପାବଳୀ ପାଇଁ ଆଡ଼ମ୍ବର ବା ଆୟୋଜନର ସବିଶେଷ ବ୍ୟବସ୍ଥା ଲାଗି ସେତେବେଳେ ସମୟ ହୋଇନଥିଲେ ମଧ୍ୟ ମଝିରେ ମଝିରେ ବାଣର ଠୋ ଠା, ଦେବାଲିର ଆଲୋଚନା ଶୁଣିଲୁ ଏବଂ ଦୀପାବଳୀ ଛୁଟିରେ ଇତସ୍ତତଃ ଭ୍ରମଣ କରିବାକୁ ଇଚ୍ଛୁକ ସ୍କୁଲ କଲେଜର ଛାତ୍ର ଦଳଙ୍କର କନସେସନ୍‍ ଦରଖାସ୍ତ ଓ ମଞ୍ଜୁରୀ ପାଇଁ ରେଲବେ ଅଫିସରେ ଭିଡ଼ ମଧ୍ୟ ଦେଖିଲୁ । ଦୀପାବଳୀ ପାଇଁ ସେ ଅଞ୍ଚଳରେ ପ୍ରାୟ ତିନି ସପ୍ତାହ ସ୍କୁଲ କଲେଜ ଓ ଅଫିସ ପ୍ରଭୁତି ବନ୍ଦ ରହେ ।

 

ବସ୍‍ ଆସି ପହଞ୍ଚିଲା ଭିକ୍ଟୋରିଆ ଗାର୍ଡନ୍‍ସ ନିକଟରେ । ଏହା ବମ୍ବେର ଚିଡ଼ିଆଖାନା ଏହାର ହାତ ମଧ୍ୟରେ ବମ୍ବେର ଅନ୍ୟତର ପ୍ରସିଦ୍ଧ ଭିକ୍ଟୋରିଆ ମ୍ୟୁଜିଅମ୍‍ ଅବସ୍ଥିତ । ଆମେ ଗଲାବେଳକୁ ମ୍ୟୁଜିଅମ ବନ୍ଦ ଥିବାରୁ ଦେଖିବାର ସୁଯୋଗ ମିଳିଲା ନାହିଁ । କେବଳ ଚିଡ଼ିଆଖାନା ଦେଖିଲୁ । କଲିକତାର ଚିଡ଼ିଆଖାନା ଯେଉଁମାନେ ଦେଖିଥିଲେ ସେମାନେ ଜୀବଗୁଡ଼ିକର ରୂପ ଆଉ ଆକୃତି ନେଇ ତୁଳନା କରୁଥାନ୍ତି । କେତେ ଜାତିର ପକ୍ଷୀ, ମାଙ୍କଡ଼, ସରୀସୃପ ଓ ଜନ୍ତୁ—ପ୍ରାଣି ରାଜ୍ୟର ବହୁ ବିଚିତ୍ର ସଭ୍ୟ ଏଠି ଆସି ସଭା କରିଛନ୍ତି । ତାଙ୍କର ସ୍ଵାଧୀନତା ଅପହରଣ କରି ମନୁଷ୍ୟ ତାଙ୍କୁ ବନ୍ଦୀ କରି ରଖିଛି । ସେମାନେ ସବୁଠି ମଣିଷ ଦେଖନ୍ତି, ସବୁ ମଣିଷ କିନ୍ତୁ ତାଙ୍କୁ ସମସ୍ତଙ୍କୁ ଦେଖିବାର ସୁବିଧା ପାଇବା ବିରଳ ହୁଏତ ଅସମ୍ଭବ । ତେଣୁ କେତୋଟି ଜୀବ ନିଜ ଅଜ୍ଞାତ କେଉଁ ଅପରାଧରୁ ସ୍ଵାଧୀନତାରୁ ବଞ୍ଚିତ ହୋଇଛନ୍ତି । ଏମାନଙ୍କୁ ଦେଖିଲେ ଜ୍ଞାନ ଲାଭ ହୁଏ, ସୃଷ୍ଟିର ବୈଚିତ୍ର୍ୟବୋଧରେ ମନ ସ୍ତମ୍ବିତ ହୁଏ, ସେହିପରି ପ୍ରାଣରେ ବଡ଼ ଦୟା ଆସେ । ଜେବ୍ରାଗୁଡ଼ିକ ଠିକ ଘୋଡ଼ାପରି ତୃଣଭୋଜୀ ଆଉ ଚିତ୍ରାଙ୍ଗ । ଜିରାଫର ମୁହଁଟା ସେ ନେଇ କୋଉଠି ରଖିଥିଲା, ଖୋଜି ବାହାର କରିବାକୁ ଆମକୁ କିଛି ସମୟ ଲାଗିଥିଲା । ଆଉ ବିଲୁଆ, ହେଟା, ସିଂହ, ମୃଗ, ବରାହ, ଭଲ୍ଲୁକତ ଅଛନ୍ତି । ପକ୍ଷୀ, ମୂଷିକ, ହସ୍ତୀ, କୁମ୍ଭୀର ଓଟପକ୍ଷୀ, ସବୁ ବି ରହିଛନ୍ତି ତା ମଧ୍ୟରେ–ପ୍ରାଣି ରାଜ୍ୟର ଏକ ନକଲି ସଂସ୍କରଣ । ମନେ ହେଲା କାଳିକତାର ଚିଡ଼ିଆଖାନା ଅପେକ୍ଷା ଏଠାରେ ପ୍ରାଣିଗୁଡ଼ିକର ଯତ୍ନ ବେଶୀ ନିଆଯାଉଛି । ପିଲାମାନେ ତାଙ୍କର ଖାତା ଧରି ଟିପି ଯାଉଥାନ୍ତି କେତେ ନୂଆ ନାଁ । ସମସ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ।

 

ସେଠାରୁ ବମ୍ବେର ପ୍ରସିଦ୍ଧ ହିନ୍ଦୁଙ୍କ ଆରାଧନା କ୍ଷେତ୍ର ମହାଲକ୍ଷ୍ମୀ ମନ୍ଦିରକୁ ଗଲୁ । ସମୁଦ୍ର କୂଳରେ ଆଧୁନିକ ରୁଚିରେ ନିର୍ମିତ । ଲକ୍ଷ୍ମୀଙ୍କର ବରପୁତ୍ର ସବୁ ବମ୍ବେର ଅଧିବାସୀ; ଲକ୍ଷ୍ମୀଙ୍କ ପୂଜାରେ ଆଡ଼ମ୍ବର ଦେଖି ବିସ୍ମିତ ହେବାର କିଛି ନାହିଁ । ମାର୍ବଲ ପଥରରେ ତିଆରି ମନ୍ଦିରର ତଳ ଆଉ କାନ୍ଥ ଅତି ଚିତ୍ତାକର୍ଷକ । ସବୁ ତୀର୍ଥ ପରି ଏଠି ବି ରହିଛନ୍ତି ଫୁଲ, ଧୂପ, ନଡ଼ିଆ ଦୋକାନୀ ମନୁଷ୍ୟ ମନରେ ଦେବତା ପୂଜାର ଉପଚାରର ଆବଶ୍ୟକତା ବିଷୟରେ ସ୍ମରଣ କରାଇ ଦେବାକୁ । ନ ହେଲେ ସଂସ୍କାର ବିଦ୍ରୋହ କରି ଉଠେ । ନବାକୁ ଗଲେ ଗୋଟାଏ ହାତେ ଲମ୍ବ କନିଆର ଫୁଲର ହାରକୁ ଟ ‘/ ଦେବାକୁ କିପରି ପ୍ରଶ୍ନ ଉଠେ ମନରେ । ଚାରି ପାଇସାକୁ ଯେଉଁ ଧୂପକାଠି ମିଳେ ୧୨ ଟା, ତହିଁରୁ ଗୋଟା ଗୋଟାକର ଦାମ ହୁଏତ ଦୁଇ ପଇସା । ଅଥଚ ପ୍ରଶ୍ନ କରିବାକୁ ସାହସ ହୁଏ ନାହିଁ, କାଳେ ଦେବତା ବିମୁଖ ହେବେ । ପୁଣି ଆଶ୍ଚର୍ଯ୍ୟ ଯେ ସୋପଚାର ଓ ଆଶ୍ଵାସନା ଆସେ । ଫେରିବା ବାଟରେ ତେଣେ ବସିଛନ୍ତି ଯେତେ ଲକ୍ଷ୍ମୀଛଡ଼ା—ସମାଜର ଅବହେଳିତ, ରୁଗ୍‍ଣ, ଅକ୍ଷମ ଭିକ୍ଷୁକ, ଦେବତାର ପ୍ରତିମୂର୍ତ୍ତି ସାଜି । ମନୁଷ୍ୟର ଧାର୍ମିକ ଦୁର୍ବଳତାର ଆଉ ଅଧିକତର ଉପଯୁକ୍ତ କ୍ଷେତ୍ର ସେମାନେ ହୁଏତ ପାଆନ୍ତେ ନାହିଁ । ଲକ୍ଷ୍ମୀପୂଜା କରି ପକେଟ ଭର୍ତ୍ତି କରିବା ଲାଗି ଆବେଦେନ କରି ଫେରିବା ବାଟରେ ପାହାଚ ତଳେ ତଳେ ପକେଟରୁ ଲକ୍ଷ୍ମୀ ବିଦାୟ ନେବାର ଅବସର ଏତେ ପରସ୍ପରବିରୋଧୀ ହେଲେ ମଧ୍ୟ ସେହି ଅବସରରେ ଅଧିକ ଦାନ କରି ଧନିକ । ମାନବର ମନ ଉପରେ ଦେବପୂଜାର ଆଉ ସାର୍ଥକତା କିଛି ନାହିଁ ।

 

ମହାଲକ୍ଷ୍ମୀ ଦର୍ଶନ ପରେ ବସ୍‍ ଆମର ଚାଲିଲା ମାଲବାର ପାହାଡ଼ ଅଭିମୁଖରେ । ଏଠି ଅନେକ ବଡ଼ ବଡ଼ ଧନୀ ଲୋକଙ୍କ କୋଠା ଅଛି । ବମ୍ବେର ରାଜଭବନ ମଧ୍ୟ ଏହି ପାହାଡ଼ ଉପରେ ଅବସ୍ଥିତ ।

 

ସଡ଼କର ଦୁଇ ଧାରାରେ ଦୁଇଟି ବଡ଼ ବଗିଚା ବା ପାର୍କ । ଗୋଟିଏ ସ୍ଵର୍ଗତ ଫିରୋଜ ଶାହ ମେହେଟାଙ୍କ ନାମକୁ ଅମର କରି ରଖିଛି ଏବଂ ଅପରଟି ପରଲୋକବାସିନୀ କମଳା ନେହେରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରହିଛି । ଫିରୋଜ ଶାହ ମେହେଟା ଉଦ୍ୟାନକୁ Hanging Garden ବା ଝୁଲନ ବଗିଚା ମଧ୍ୟ କହନ୍ତି । ଏହି ଉଦ୍ୟାନରେ ଝଙ୍କାଳିଆ ଗଛଗୁଡ଼ିକୁ ବାଘ, ମଣିଷ, କୁକୁର, କୁମ୍ଭୀର, ହାତୀ ପ୍ରଭୁତି ଆକାରରେ କଟା ଯାଇଥିବାରୁ ତାହା ମନୋଯୋଗ ଆକର୍ଷଣ କରେ । କେତେକ ସ୍ଥାନରେ ଟେବୁଲ, ଚୌକି ଆକାରର ଗଛ ମଧ୍ୟ ଦେଖିଲୁ । ଏପରି କାଟି ତାକୁ ସଜାଇ ରଖିବା ଏକ ଚାରୁକଳା । ଏହି ବଗିଚା ମଧ୍ୟରେ ପୂର୍ବୋକ୍ତ ବମ୍ବେ ସହରର ଜଳଯୋଗାଣ ବ୍ୟବସ୍ଥାର ମଧ୍ୟ ଏକ ରିଲିଫ ମଡେଲ ଅଛି ଏବଂ ସେହି ବିଷୟରେ ଏକ ସ୍ପଷ୍ଟ ଧାରଣା କରିବାରେ ସାହାଯ୍ୟ କରୁଥିବାରୁ ବିଶେଷ ଶିକ୍ଷାପ୍ରଦ ହୋଇଅଛି । ସନ୍ତରଣ ଶିକ୍ଷା ଓ ଜଳକ୍ରୀଡ଼ା ପାଇଁ ଏକ ସୁନ୍ଦର ଜଳାଶୟ ମଧ୍ୟ ଏହା ମଧ୍ୟରେ ଅବସ୍ଥିତ ।

 

କମଳା ନେହେରୁ ପାର୍କ ବିଷୟରେ ଛାତ୍ରମାନେ ଆଗରୁ ଶୁଣି ଏତେ ପ୍ରଭାବିତ ହୋଇଥିଲେ ଯେ ଚୌବେଜୀ ଫିରୋଜ ଶାହ ବଗିଚାରେ ଆମକୁ ଅତ୍ୟଳ୍ପ ମାତ୍ର ସମୟ ଦେଇ ବାଧ୍ୟ ହୋଇ ଆଗେଇ ଦେଲେ ସେଠିକି । କମଳା ନେହେରୁ ପାର୍କଟି ମଧ୍ୟ ଆଧୁନିକ ରୁଚିରେ ସଜ୍ଜିତ । ଫୁଲ ଫଳ ଦେଖିବାକୁ ତ ପିଲାଙ୍କର ଧୈର୍ଯ୍ୟ ନ ଥାଏ । ସେମାନେ ସିଧା ଚାଲିଲେ ବୁଟ ହାଉସକୁ । ଜୋତାର ଆକାରରେ ଗଢ଼ା ଏହି ଘରଟିର ଚିତ୍ର ସିନେମାରେ ଦେଖି ତାର ଚାକ୍ଷୁଷ ପରିଚୟ ଲୋଭରେ ସେମାନେ ଏତେ ମୁଗ୍ଧ ହୋଇ ପଡ଼ିଲେ ଯେ ତ୍ରିଲୋଚନ ଆଉ ସତ୍ୟନାରାୟଣ ପକ୍ଷରେ ହୁଏତ ସମ୍ଭବ ହୋଇଥିଲେ ତାକୁ ଊଠାଇ ନେଇ ଆସିଥାନ୍ତେ । ଏହି ପାର୍କରେ ପିଲାଙ୍କୁ ବୁଲିବାକୁ ଛାଡ଼ି ଦେଇ ତରୁଚୟରେ ଆମେ ଟିକିଏ ବାସିଗଲୁ ବମ୍ବେର ଦୃଶ୍ୟ ଦେଖି ଦେଖି । ଏହିଠାରୁ ବମ୍ବେ ସହରର ଦୃଶ୍ୟ ଅତିଶୟ ଚିତ୍ତାକର୍ଷକ । ସମୁଦ୍ର, ଚୌପାଠୀ, ମେରିନ୍‍ ଡ୍ରାଇଭ ପ୍ରଭୁତି ଗୋଟି ଗୋଟି କରି ଚୌବେଜୀ ଚିହ୍ନାଇ ଦେଉଥାଆନ୍ତି । ଏ ମଧ୍ୟରେ ଆହୁରି ଏକ ମନମୁଗ୍‍ଧକର ସ୍ଥାନ ଅଛି—ସେ ଗୋଟିଏ କୁଞ୍ଜ । ମଝିରେ ଏକ ଉଚ୍ଚ ଗଦାରେ କାଚ ଦେଇ ଜୀବିତ ଓ ସନ୍ତରଣଶୀଳ ମତ୍ସ୍ୟମାନଙ୍କୁ ରଖାଯାଇଛି । ଚାରି ପାଖରେ ନିର୍ମଳ ଖାଲି ଜାଗା । ପତ୍ରଗହଳର ଶୀତଳତା ଫଳରେ ଆପେ air conditioned ହୋଇଛି । ପ୍ରାୟ ଦୁଇଟା ସମୟ ପର୍ଯ୍ୟନ୍ତ ବୁଲି ବୁଲି ଆମର ଯେଉଁ କ୍ଳାନ୍ତି, ସେ ଦୃଷ୍ଟିରୁ ଆଉ ଅଧିକ ଭଲ ଔଷଧ ମିଳି ନଥାନ୍ତା । ଭୋକ ବି ସେତେବେଳେ ହେଉଥାଏ ବେଶ୍‍ । ସକାଳର ଟାଣୁଆ ଜଳଖିଆର ଆଉ ସେତେବେଳକୁ ଚିହ୍ନ ନ ଥାଏ । ଏଣେ ସକାଳ ଓଳି ବୁଲା ପ୍ରୋଗ୍ରାମ ମଧ୍ୟ ସରି ଆସିଥାଏ । ତେଣୁ କ୍ଳାନ୍ତି ଟିକିଏ ମୁଣ୍ଡ ଟେକି ଆସୁଥାଏ । ଏହି ସମୟରେ କମଳା ନେହେରୁ ପାର୍କର ସେହି କୁଞ୍ଜଟି ଏକ ଆଶୀର୍ବାଦ ପରି ମନେ ହେଉଥାଏ ଖାଲି ବୁଟ ହାଉସର ଚିତ୍ର ନେବାରେ ।

 

ଶେଷରେ ସମସ୍ତଙ୍କୁ ତଡି ପୁଣି ଚାଲିଲୁ ବସ ପାଖକୁ । ରାଜଭବନ ଗେଟ ପାଖରେ ଟିକିଏ ଅଟକିଲୁ । ଯଦି ସୁବିଧା ହୁଏ ଟିକିଏ ଦେଖିଯାନ୍ତୁ । କିନ୍ତୁ ସେତେବେଳେ ଡକ୍ଟର ମହତାବଙ୍କ ଓଡ଼ିଶା ପ୍ରତ୍ୟାଗମନର ଆଉ ମାତ୍ର ୩ଦିନ ବାକି ଥାଏ । ବିଦାୟ ସଂବର୍ଦ୍ଧନା ତଥା କାର୍ଯ୍ୟ ଶେଷ କରିବାରେ ବଡ଼ଠୁ ସାନ ପର୍ଯ୍ୟନ୍ତ ସମସ୍ତେ ଏତେ ବ୍ୟସ୍ତ ଯେ କାହାରି ଦେଖା ମିଳିବା ସମ୍ଭବ ହେଲା ନାହିଁ । ତେଣୁ ବାହାରୁ ଯେତିକି ସମ୍ଭବ ସେତିକି ମାତ୍ର ଦେଖି ଫେରି ଆସିଲୁ । ଶେଷରେ ବସ୍‍ ଆସି ଲାଗିଲା ପଞ୍ଜାବୀ ହୋଟେଲରେ । ଆମକୁ ଘଣ୍ଟାଏ ସମୟ ଖଇବା ପାଇଁ ଅବସର ଦେଇ ବସ୍‍ ବାଲା ମଧ୍ୟ ନିଜେ ଗଲା ନିଜର କାର୍ଯ୍ୟ ସାଙ୍ଗ କରିବାକୁ । ପଞ୍ଜାବୀ ହୋଟେଲର କୋବି ମଟର ତରକାରୀ ସେତେବେଳେ ଯେପରି ତୃପ୍ତିକର ଜଣା ଯାଇଥିଲା, ସେକଥା ହୁଏତ ମୋ ଅପେକ୍ଷା ବେଶୀ ଭଲ ଭାବେ କହନ୍ତା ଶ୍ରୀଦତ୍ତ ବା ଶୁଭ-କରଣ ।

 

ପିଲାଙ୍କର କିନ୍ତୁ ରାଜଭବନ ଦେଖିବା ଇଚ୍ଛା ଘୁଞ୍ଚି ନ ଥାଏ । ତେଣୁ ଚୌବେଜୀଙ୍କ ସହ ଫୋନ୍‍ କରିବା ପାଇଁ ମୁଁ ନିକଟସ୍ଥ ଏକ ଦୋକାନକୁ ଗଲି । ଏଠି ଫୋନ୍‍ କରିବାରେ କିଛି ଅସୁବିଧା ନାହିଁ । ପରିଚିତ ହୁଅ ବା ନ ହୁଅ ଯେ କୌଣସି ଦୋକାନରେ ପଶି ଟ ‘/ ଦେଲେ ସେ ଜଣକ ପାଖକୁ ଫୋନ କରିବାକୁ ଅନୁମତି ଦିଅନ୍ତି । ଫୋନ୍‍ ଗାଇଡ୍‍ ଓ ଡାଇରେକ୍ଟରୀ ପାଖରେ ପଡ଼ିଥାଏ-। ନମ୍ବର ମନେନଥିଲେ ସେଥିରୁ ଖୋଜି ବାହାର କରି ନେବାକୁ ହୁଏ । ଫୋନର ଅଧିକାରୀମାନଙ୍କର ବ୍ୟବସାୟ ଏବଂ ନାମର ଆଦ୍ୟ ଅକ୍ଷର ଅନୁଯାୟୀ ନାମ ସବୁ ସଜ୍ଜିତ ହୋଇଥିବାରୁ ଅତି ଚଞ୍ଚଳ ମଧ୍ୟ ବାହାରି ପଡ଼େ । ଫୋନ କରି ସେକ୍ରେଟାରୀଙ୍କ ସନ୍ଧାନ ପାଇଲୁ ନାହିଁ । A.D.C ଫୋନ ଧରି କଥାଟା ଶୁଣି ନିରାଶବାଣୀ ଶୁଣାଇଲେ ଏବଂ ସ୍ଥାନାନ୍ତରକୁ ଯାଇଥିଲେ । ଏହିପରି ସେ ଚେଷ୍ଠା ବିଫଳ ହେଲା, ଏବଂ ଖବର କାଗଜରେ ପ୍ରୋଗ୍ରାମ ଯାହା ବାହାରୁଥାଏ ସେ ଦ୍ରୁଷ୍ଟିରୁ ଆମେ ଆଉ ପୁଣି ଚେଷ୍ଟା ନକରିବା ଉଚିତ ମନେ କଲୁ ।

 

ବସବାଲା ନିର୍ଦ୍ଧିଷ୍ଟ ସମୟର ପ୍ରାୟ ଘଣ୍ଟାକ ପରେ ପହଞ୍ଚିବାରୁ ଆମେ ତାକୁ ବେସ ଭଦ୍ର ଭାବରେ ପଦେ ଅଧେ ଶୁଣାଇଲୁ । ପୁଣି ଆରମ୍ଭ ହେଲା ଆମର ଗତି ଲକ୍ଷ ସାନ୍ତାକ୍ରୁଜ୍‍ ବିମାନଘାଟୀ-। ଯୁଦ୍ଧ ସମୟର ଜରୁରୀ ପରିସ୍ଥିତି ରେ ଯେଉଁ ଘର ଥିଲା, ନୂଆ ଘର ନ ହେବା ପର୍ଯ୍ୟନ୍ତ (ଅଧାଅଧି ଉଠିଗଲାଣି) ସେହି ଘରେ କାର୍ଯ୍ୟାଳୟ ଅବସ୍ଥିତ । ଲାଉଡ୍‍ ସ୍ପିକରରେ ମଧ୍ୟେ ମଧ୍ୟେ ସତର୍କ ଘଣ୍ଟି ବାଜୁଥାଏ ଆଉ ବିମାନ ଛାଡ଼ିବାର ସମୟ ପ୍ରଭୃତି ଯାତ୍ରୀମାନଙ୍କର ସୁବିଧା ପାଇଁ ଜଣାଇ ଦିଆଯାଉଥାଏ । ପ୍ରାୟ ଅଧଘଣ୍ଟା ପରେ Air India International ର ଗୋଟାଏ ବିମାନ କାଏରୋ ଅଭିମୁଖରେ ଛାଡ଼ିବାର ଥାଏ । ଯାତ୍ରୀମାନେ ଯଥା ସମୟରେ ଆସିଥାନ୍ତି, ସଙ୍ଗରେ ବିଦାୟ ଦେବାପାଇଁ ପିତାମାତା, ବନ୍ଧୁ, ଆତ୍ମୀୟମାନେ ମଧ୍ୟ ଆସିଥାନ୍ତି । ପୋଷାକ ଆଉ ଲଲାଟରେ ବିଜୟଟୀକା ଦେଖିଲେ ଯାତ୍ରୀମାନଙ୍କୁ ଚିହ୍ନିବାରେ ବିଶେଷ କଷ୍ଟ ହୁଏନାହିଁ । ବିମାନରେ ତେଲ ଦିଆଗଲା । ତାର ସବୁପ୍ରକାର ପରୀକ୍ଷା ଚାଲିଥାଏ । ଏ ମଧ୍ୟରେ ଦୂରରୁ Air Ceylon ର ଗୋଟାଏ ବିମାନ ଆସି ପହଞ୍ଚିଲା । ଯାତ୍ରୀମାନେ ଓଲ୍ହାଇଲେ । ପ୍ରତୀକ୍ଷମାଣ ବନ୍ଧୁମାନେ ଉଦବିଗ୍ନ ହୃଦୟରେ ତାଙ୍କର ସମ୍ବର୍ଦ୍ଧନା କାଲେ । ତା ପରେ ପାଇଲଟମାନେ ତାଙ୍କର ଶୁଭ୍ର ପରିଚ୍ଛଦ ପିନ୍ଧି ଓହ୍ଲେଇ ଆସିଲେ ।

 

ଏଥର କାଏରୋ ପ୍ଲେନର ଛାଡ଼ିବା ସମୟ ହେଲା । ଗୋଟା ଗୋଟା ପ୍ରପେଲର୍‍ ବୁଲାଇ ଗୋଟାଏ ଗୋଟାଏ ହୋଇ ଚାରିଟା ଇଞ୍ଜିନ୍‍ ଚାଲିଲା । ପ୍ରକାଣ୍ଡ ଛାତ ପଙ୍ଖା ପରି ସେହି ପ୍ରପେଲର ଘୂରିବା ଦ୍ଵାରା ଏତେ ବେଗରେ ବାୟୁମଣ୍ଡଳ ଆନ୍ଦୋଳିତ ହେଲା ଯେ ଆମ୍ଭେମାନେ ବେଶ୍‍ ଏକ ବେଗବାନ୍‍ ବାୟୁ ପ୍ରବାହ ପରି ଅନୁଭବ କଲୁ । ତା’ପରେ ସେ ତଳେ ଦଉଡ଼ି ଦଉଡ଼ି ପୂର୍ଣ୍ଣ ବେଗ ନେବା ପୂର୍ବରୁ ଆହୁରି ଏକ ପ୍ଲେନ ଆସି ଓଲ୍ହେଇଲା । ଶେଷରେ କାଏରୋ ଯାତ୍ରୀ ପ୍ଲେନ ଛାଡ଼ିବା ପରେ ଆମ୍ଭେମାନେ ଜୁହୁ ଅଭିମୁଖରେ ଚାଲିଲୁ ।

 

ଏଇଠି ଖୋଲା ଆରବ ସାଗରର ଦର୍ଶନ ମିଳିଲା । ସେହି ପରିଚିତ ସିକତିଳ ବେଳାଭୂମି, ସେହି ଅମାନିଆ ଢେଉ, ସେହି ଘୋଷ, ସେହି ଧଳା-ଫେଣ-ମଖା ପାଣି, ଯାହାକୁ ଉଁଇଲା ଆଉ ଚନ୍ଦ୍ର ଦିଏ ରୂପେଲୀ ରଙ୍ଗ । କୂଳେ କୂଳେ ତାଳ ନଡ଼ିଆର ଧାଡ଼ି । ସେହିପରି ପବନ ସୁ-ସୁ । ସବୁ ପରିଚିତ । ଗେଟ୍‍ ଅଫ୍‍ ଇଣ୍ଡିଆ ନିକଟରେ ପଥରବନ୍ଧ ପାଖରେ ସମୁଦ୍ର ପୋଷିଲା କୁକୁଡ଼ା ପରି-କାମୁଡ଼ିବାକୁ ଆସେ ନାହିଁ, ଖାଲି ଚାଟିଦିଏ । ଏଡ଼େ ଟିକିଏ ଟିକିଏ ଢେଉ । ସମୁଦ୍ରଟା ମନେହୁଏ ଯେପରି ସ୍ଥିର । ଜୁହୁ ଉପକୂଳରେ ସମୁଦ୍ରର ସ୍ୱରୂପ ଦେଖି ସମସ୍ତେ ଖେଳରେ ମାତିଲେ-। ସମୁଦ୍ରର ପାଣି କିପରି ଲୁଣିଆ ଲାଗେ ଚୈତନ୍ୟ ଟିକିଏ ଚାଖିଲା, ଦେଖା ଦେଖି ସମସ୍ତେ ଲାଗିଗଲେ । ସମୁଦ୍ର ମଧ୍ୟକୁ ଆଣ୍ଠୁଏ ପାଣି ପର୍ଯ୍ୟନ୍ତ ମଧ୍ୟ ଯାଉନାହାନ୍ତି । ଫେରେନ୍ତା ଢେଉର ବେଗରେ ପାଦତଳୁ ବାଲି ଖସିଗଲେ କୂଢ଼ କୂଢ଼ ଲାଗେ, ଟାଣି ହୋଇଗଲା ପରି ଲାଗେ–ସେଠୁ ଚିତ୍କାର କରି ଡେଇଁ ଡେଇଁ ପଳାଇ ଆସନ୍ତି । ନିକଟସ୍ଥ ଫ୍ଲାଇଂ କ୍ଳବ୍‍ର ଛୋଟ ବିମାନମାନ ଶିକ୍ଷାର୍ଥୀ ଆରୋହୀମାନଙ୍କୁ ଧରି ସମୁଦ୍ର ଉପର ଦେଇ ଯାଉଥାଏ ଆସୁଥାଏ । ପିଲାଏ ଆମର କଉତୁକ କରି ତାଙ୍କୁ ଖତେଇ ହେଉଥାନ୍ତି ।

 

ଡେରି ହୋଇ ଯାଉଥାଏ, ତେଣୁ ସମୁଦ୍ର ବେଳାର ଖେଳ ଛାଡ଼ି ପୁଣି ଚାଲିଲୁ । ଏଥର ଆସିବ ଚୌପାଠୀ । ସେଇ ଚୌପାଠୀ ବାଲୁକାମୟ ଭୂମିରେ ବମ୍ବେର ବଡ଼ ବଡ଼ ସାଧାରଣ ସଭା ହୁଏ । ଦେଶର କର୍ମୀ, ନେତା ସମସ୍ତଙ୍କର ପଦଧୂଳି ପଡ଼ିଛି ସେଇ ବାଲି ଉପରେ, ସମସ୍ତଙ୍କର ବାଣୀର ଝଙ୍କାର ରହିଛି ସେଇ ଆକାଶର ବାୟୁହିଲ୍ଲୋଳରେ । ଗାନ୍ଧୀ, ପଟେଲ, ମୌଲାନା, ନେହେରୁ, ତିଲକ, ଗୋଖଲେ ସମସ୍ତେ ଏଠି ଦିନେ ଦିନେ ଛିଡ଼ା ହୋଇ ବମ୍ବେବାସୀଙ୍କୁ ଉଦବୁଦ୍ଧ କରିଛନ୍ତି । ଚୌପାଠୀର ଏକ ପାଖରେ ସମୁଦ୍ର—ତାହାରି ଆରପଟେ ଦୂରରେ ମାଲବାର ପାହାଡ଼-। ଅପର ପାଖେ ପ୍ରଶସ୍ତ ପିଚ୍‍ ରାସ୍ତାର ଧାରେ ଧାରେ ବାମବେର ସୁନ୍ଦରତମ ଗାଳି ମେରିନ୍‍ ଡ୍ରାଇଭ-। ମେରିନ୍‍ ଡ୍ରାଇଭର ଘରଗୁଡ଼ିକ ସମାନ ଆକାରର । ସନ୍ଧ୍ୟା ହେଲେ ଯେତେବେଳେ ରାସ୍ତାର ଆଲୁଅ ସବୁ ଜଲିଉଠି ନୖଶ ଅନ୍ଧକାରକୁ ପରାଜିତ କରେ, ସେତେବେଳେ ବହୁଦୂରପ୍ରସାରୀ ମେରିନ୍‍ ଡ୍ରାଇଭର ନିତ୍ୟ ଦୀପାବଳୀର ଦୃଶ୍ୟଦେଖି ମନରେ ଅମାପ ଆନନ୍ଦ ଆସେ । ସ୍ଵର୍ଗପୁରୀର କଳ୍ପନା କରିବାକୁ ପଡ଼ି ନ ଥାନ୍ତା ଯଦି ଆର୍ଯ୍ୟଋଷି ଏ ଯୁଗରେ ଥାଆନ୍ତେ । ବିରାଟ ଘର, କେତେ ପ୍ରକାର ଆଲୁଅ, କେତେ ପ୍ରକାର ସାଜସଜ୍ଜା ରାସ୍ତାରୁ ଦେଖିଲେ ମଧ୍ୟ ସେ ବିଭବର କିଞ୍ଚିତ ଆଭାସ ମିଳେ-। ନିଜକୁ ମନେ ହୁଏ କ୍ଷୁଦ୍ର—ଅତି କ୍ଷୁଦ୍ର; ଏକ ଅବାସ୍ତବ କଳ୍ପନାରେ ମନ ଅଯଥା ଭରି ଉଠେ-। ମେରିନ୍‍ ଡ୍ରାଇଭ୍‍ ମଧ୍ୟରେ ତାରାପୁରବାଲାଙ୍କ ମତ୍ସ୍ୟ ପ୍ରଦର୍ଶନୀ ବ Aquarium ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।

 

ମେରିନ୍‍ ଡ୍ରାଇଭ୍‍ ଓ ଚୌପାଠୀ ଲୋକଙ୍କର ସାନ୍ଧ୍ୟ ବିହାରର ଉପଯୁକ୍ତ କ୍ଷେତ୍ର । ଦଳ ଦଳ ହୋଇ ନରନାରୀ ଏହି ସମୟରେ ଭ୍ରମଣ କରିବାକୁ ବାହାରନ୍ତି । ମଝିରେ ମଝିରେ ବସିବା ପାଇଁ ବେଞ୍ଚ ସବୁ ମଧ୍ୟ ଅଛି । ଏ ସବୁର ଅଭୂଲା ସ୍ମୃତି ନେଇ ବସାକୁ ଫେରିଲା ପରେ ପିଲାଙ୍କର ଏକ ବଡ଼ ଅଳି ରହିଲା, ସିନେମା ଦେଖା । କେତେ ନୂଆ ନୂଆ ଛବିର ବିଜ୍ଞାପନରେ କଣ୍ଠବାଦୀ ଭରିଛି—ଚୋରୀ ଚୋରୀ, ଦେବତା, ନୟୀ ଦିଲ୍ଲୀ, ଝନକ୍‍ ଝନକ୍‍ ଆହୁରି କେତେ କଣ । କିନ୍ତୁ ବମ୍ବେରେ ଦୁଇଟି ରାତି ପ୍ରାୟ ବ୍ୟର୍ଥ ହେଲାଣି, ଅଥଚ ସେମାନେ କୋଉଠି ହେଲେ ପର୍ଦ୍ଧାରେ ଦେଖିନାହାନ୍ତି ଦେବାନନ୍ଦ, ରାଜକାପୁର, ନର୍ଗିସ୍‍, ବୀଣାରାୟ ବା ନଳିନୀଜୟନ୍ତଙ୍କୁ । ଏ ଯୁଗରେ ଚିତ୍ରତାରକାମାନେ କିଶୋରମାନଙ୍କ ମନଘୋଡ଼ାର ଅପ୍ରତିଦ୍ଵନ୍ଦୀ ସବାର । ସନ୍ଦେହରେ ସେମାନଙ୍କ ମଧ୍ୟରୁ କାହାକୁ କାହାକୁ ନିଶ୍ଚୟ ରାସ୍ତାରେ ଦେଖି ପକାଇବେ ଏପରି କଳ୍ପନା ବି ଥିଲା । କିନ୍ତୁ ସେ ପର୍ଯ୍ୟନ୍ତ କାହାରି ଦର୍ଶନ ମିଳି ନଥାଏ । ତେଣୁ ଟୁପଟାପ୍‍ କଥାଭାଷା ବି ଚାଲିଥାଏ । ମୁଁ ଓ ମୋ ଭଳିଆ ଆଉ ତିନୋଟି ଜୀବ ତାଙ୍କ ସାଙ୍ଗରେ ଥିବାରୁ ଏ ବିଷୟରେ ପ୍ରତ୍ୟକ୍ଷ ଆଲୋଚନା ବୋଧହୁଏ ଟିକିଏ ବାଧା ପାଇଥାଏ । ତଥାପି ତାଙ୍କର ଆଗ୍ରହପୂର୍ଣ୍ଣ ଗୋପନ ସମାଲୋଚନା ଆମ କାନରେ ବେଳେ ବେଳେ ପଡ଼ି ଯାଉଥାଏ । ଯେଉଁମାନେ ଚାଲାକ୍‍ ଏବଂ ଅପେକ୍ଷାକୃତ ସାହାସୀ, ସେମାନେ ଗମ୍ଭୀରତାର ଆବରଣ ତଳେ ଶିକ୍ଷା ଓ ଅଭିଜ୍ଞତାର ଆଳ ଧରି ପ୍ରସ୍ତାବ କରୁଥାଆନ୍ତି, “ସାର୍‍, ଗୋଟାଏ air-conditioned ସିନେମା କଥା ଦେଖେନ୍ତେ ।” ସିନେମା ଘରକୁ ଯିବା ମାନେ ଯାହା, ସେ କଥା ସେ ବୁଝନ୍ତି । ଆମେ ବି ବୁଝୁ । ସେହି ସଜୀବ ପ୍ରାଣିଗୁଡ଼ିକୁ ଦେଖିବାର ବେଶି ସୁଯୋଗ ନିଶ୍ଚୟ ଷ୍ଟୁଡିଓରେ ମିଳିବ । ତେଣୁ ଅନ୍ୟ ପ୍ରସ୍ତାବ ଆସେ । ଚଞ୍ଚଳ କିପରି ଷ୍ଟୁଡିଓ ଦେଖା ହୁଆନ୍ତା । ଷ୍ଟୁଡିଓ ଦେଖାର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା ।

★★★

 

–ତୃତୀୟ ଦିନ–

 

ପରଦିନ ସକାଳେ ଜଳଖିଆ କରି ଟ୍ରାମରେ ଚଢ଼ିଲୁ । ଗୋଟାଏ ଟ୍ରାମରେ ସମସ୍ତେ ଚଢ଼ିଗଲା ପରେ ଅଧେ ଲୋକଙ୍କ ପାଇଁ ସ୍ଥାନାଭାବରୁ କଣ୍ଡକ୍ଟର ସେମାନଙ୍କୁ ଓହ୍ଲାଇ ଦେଲା । ଅଳ୍ପ ସମୟ ପରେ ପୁଣି ଆସିଲା ଆଉ ଗୋଟାଏ ଟ୍ରାମ । ସେଥିରେ ଆଉ ଅଧେ ଚଢ଼ିଲେ । ଲକ୍ଷ୍ୟ ଇଣ୍ଡିଆ ଗେଟ୍‍ । ବମ୍ବେ ସହରର ଯାନ ଚଳାଚଳରେ ଏଇଟା ଗୋଟାଏ ପ୍ରଧାନ ଲକ୍ଷ୍ୟ କରିବାର ବିଷୟ । କୌଣସି ଟ୍ରାମ ବା ବସରେ ନିର୍ଦ୍ଧିଷ୍ଟ ସଂଖ୍ୟକ ଯାତ୍ରୀଙ୍କ ଅପେକ୍ଷା ବେଶୀ ଯିବେ ନାହିଁ । ଟ୍ରାମର ପଛପଟରେ ଚଢ଼ି ଆଗପଟେ ଓହ୍ଲାଇବାକୁ ହେବ । ହୁଏତ ଏପରି ହୋଇପାରେ ଯେ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଥିଲେ ଜଣେ ସିଟ୍‍ ପାଇଲେ ସେହି ଜଣକ ଯିବ ନଚେତ ଦୂହେଁ ପୁଣି ଅପେକ୍ଷା କରିବେ ପରବର୍ତ୍ତୀ ଯାନକୁ । ଲୋକେ ମଧ୍ୟ ଏ ବ୍ୟବସ୍ଥାର ମର୍ଯ୍ୟାଦା ରକ୍ଷା କରିବାକୁ ଶିଖିଛନ୍ତି । ଟ୍ରାମ୍‍ ବା ବସ୍‍ କଣ୍ଡକ୍ଟର ନାହିଁ । ଏ ବିଷୟରେ ଆହୁରି ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ବସ ବା ଟ୍ରାମ ଷ୍ଟେଣ୍ଡ୍‍ମାନଙ୍କରେ ମଧ୍ୟ ଯାତ୍ରୀମାନେ ଅତି ଶୃଙ୍ଖଳାବଦ୍ଧ ଭାବରେ ଧାଡ଼ି ଧରି ଛିଡ଼ା ହୋଇଥାନ୍ତି । ଯେ ପ୍ରଥମେ ଆସିଛି, ସେ ନାରୀ, ପୁରୁଷ । ବାଳକ, ଯୁବକ, ବୃଦ୍ଧ, ଧନୀ, ଗରିବ ନିର୍ବିଶେଷରେ ପ୍ରଥମେ ରହିପାରିବ ଏବଂ ପ୍ରଥମେ ସିଟ୍‍ ପାଇବା । ଗୋଟାକ ପରେ ଗୋଟାଏ ଗାଡ଼ି ଆସୁଛି, ଯେତୋଟି ସିଟ୍‍ ଖାଲି ଅଛି ସେତୋଟି ଲୋକ ଯାଉଛନ୍ତି, ନୂଆ ଯେ ଆସୁଛି, ସେ ଅନ୍ୟର ଅଧିକାର କ୍ଷୁଣ୍ଣ ନକରି ମାନେ ମାନେ ଧାଡ଼ିର ପଛକୁ ଯାଉଛି । ଧାଡ଼ି ଆଗକୁ ବଢ଼ି ଚାଲିଛି-। ଆବର୍ତ୍ତ ପରି ଘୂରିଯାଉଛି । ଯାହାର ପାଳି ଆସିଲା ସେ ଗଲା । ଏହିପରି ଏକ ସାର୍ବଜନୀନ ଶିକ୍ଷା ପାଇଁ ବମ୍ବେବାସିକୁ ହୁଏତ ବହୁତ ଦିନ ଲାଗିଥିବ । କିନ୍ତୁ ବର୍ତ୍ତମାନ ନୂଆ ଲୋକ ଯେ ଏ ରୀତି ଦେଖିବ ସେ ମୁଗ୍ଧ ନ ହୋଇ ରହିପାରିବନାହିଁ । କଲିକତାର ଜନଗହଳି ଓ ଯାନବାହାନ ତୁଳନାରେ ବମ୍ବେରେ ଭିଡ଼ ଅବଶ୍ୟ କମ୍‍ ପରି ମନେ ହେଲା । କିନ୍ତୁ କଲିକତାର ଜନତା ଏ ପର୍ଯ୍ୟନ୍ତ ଏ ଧରଣର ଶୃଙ୍ଖଳା ଶିକ୍ଷା କରିନାହାନ୍ତି । କଲିକତାର ଟ୍ରାମ୍‍ ଦେଖିଲେ ମନେହୁଏ, ଗୋଟାଏ ଅବ୍ୟବସ୍ତିତ ଛିନଛତର ଘର, ବମ୍ବେର ଟ୍ରାମ ଏକ ସୁସଜ୍ଜିତ, ସୁପରିଚାଳିତ ପରିବାର ।

 

ଇଣ୍ଡିଆ ଗେଟ ପାଖରୁ ଗୋଟିଏ ଲଞ୍ଚ ଭଡ଼ା କରି ଆମେ ଚାଲିଲୁ ଏଲିଫାଣ୍ଟାକୁ । ବମ୍ବେ ଉପକୂଳରୁ ୬-୭ ମାଇଲ ଦୂରରେ ଗୋଟିଏ କ୍ଷୁଦ୍ର ଦୀପ ଏଲିଫାଣ୍ଟା; ତାହାରି ଉପରେ ପାହାଡ଼ର ଗୁମ୍ଫା ମଧ୍ୟରେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର ଭାରତୀୟ ଶିଳ୍ପୀର ନିହାଣ ବାରିସି ପଥର ଦେହରେ ରଖିଯାଇଛି ଆମର କୀର୍ତ୍ତି । ଓଡ଼ିଶାର ଖଣ୍ଡଗିରିର ଗୁମ୍ଫାପରି କହିଲେ କେତେକାଂଶରେ ଧାରଣା କରାଯାଇପାରେ । ତହିଁରେ ପର୍ବତର ପଥର ଦେହରେ କ୍ଷୋଦିତ ହୋଇଛି ନାନାଅବସ୍ଥାରେ କଳ୍ପିତ ଶିବମୂର୍ତ୍ତି । ଶିବ, ପାର୍ବତୀ, କାର୍ତ୍ତିକେୟ, ଗଣେଶ, ଶିବଗଣ, ଦ୍ଵାରୀ, ତ୍ରିମୂର୍ତ୍ତି ପ୍ରଭୃତି ବହୁମୂର୍ତ୍ତି ରହିଛି-। ସେ ମଧ୍ୟରୁ କେତେଗୁଡ଼ିଏ ଭଗ୍ନ ବା ବିକଳାଙ୍ଗ ହୋଇଛି । ଏହି ଗୁମ୍ଫାଗୁଡ଼ିକ ପ୍ରାଚୀନ ଏୈତିହାସିକ ଓ ପ୍ରତ୍ନତାତ୍ତ୍ଵିକ ବିଭବ ନେଇ ବହୁ ଦର୍ଶକକୁ ଆକୃଷ୍ଟ କରେ ।

 

କିନ୍ତୁ ଏଲିଫାଣ୍ଟାର ଏହି ଗୁମ୍ଫା ଅପେକ୍ଷା ଅଧିକ ଆମୋଦ-ଦାୟକ ସମୁଦ୍ରଯାତ୍ରା । ଆମର Hunter (ଲଞ୍ଚ୍‍ ର ନାମ) ପାଣି କାଟି କାଟି ଯେତେ ଆଗକୁ ଆଗକୁ ଯାଉଥାଏ, ବମ୍ବେ ପୋତାଶ୍ରୟର ଦୃଶ୍ୟ ସେତେ ପୂର୍ଣ୍ଣ ଭାବରେ ଆମର ଦୃଷ୍ଟିଗୋଚର ହେଉଥାଏ । ସାନ ବଡ଼ ଜାହାଜ, ଲଞ୍ଚ, ବୋଟରେ ଭରା ହୋଇଥାଏ ପୋତାଶ୍ରୟ । ସବୁଠାରୁ ବଡ଼ ଦେଖାଯାଉଥାଏ ଯେଉଁ ଜାହାଜ ତାହାର ନାମ Asia । ମଝିରେ ବତୀଘର ଓ ନଙ୍ଗର ଖୁଣ୍ଟି ସବୁ ଥାଏ । କେତେ ଜାହାଜ ନଙ୍ଗର ପକାଇ ମଝିରେ ଥାଏ ଭାରତୀୟ ନୌବାହିନୀର ଧଳା ରଙ୍ଗର ଜାହାଜ ସବୁ ନୌବାହିନୀର ପତାକା ଉଡ଼ାଇ ବିଶ୍ରାମ କରୁଥାନ୍ତି । ଖୋଲା ଡେକ ଉପରେ ଧଳା ପୋଷାକ ପିନ୍ଧା ଅଫିସର ଓ କର୍ମୀମାନେ ଇତସ୍ତତଃ ଯିବା ଆସିବା କରୁଥାନ୍ତି । ବ୍ରିଟେନର ୟୁନିୟନ୍‍ ଜାକ୍‍ ଉଡ଼ାଇଥିବା ଗୋଟାଏ ମାଲବାହୀ ଜାହାଜ ଓ ଚନ୍ଦ୍ରତାରା ଚିହ୍ନିତ ପାକିସ୍ତାନର ଗୋଟାଏ ଜାହାଜ ମଧ୍ୟ ଦେଖିଲୁ । ଆମ ଫୋଟୋଗ୍ରାଫରମାନେ ସେତେବେଳେ କାର୍ଯ୍ୟବ୍ୟସ୍ତ । କେହି କେହି ହାତ ଲମ୍ବାଇ ପାଣିରେ ଖେଳୁଥାନ୍ତି । ପାଣିରେ ହଣ୍ଟରର ଆସିବା ବାଟ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥାଏ । ହଠାତ୍‍ ଆମ ସମ୍ମୁଖରୁ ଗୋଟାଏ ତୈଳବାହୀ ଜାହାଜ ଆମକୁ ଅତିକ୍ରମ କଲା । ତାହାର ଆଘାତରେ ଉଠିଲା ବଡ଼ ବଡ଼ ଢେଉ, ଆମ ହଣ୍ଟରକୁ ବେଶ୍‍ ଟିକିଏ ନଚାଇ ଦେଲା । ଆମକୁ ବେଶ ଆମୋଦ ଲାଗୁଥାଏ । ଭୂଗୋଳ ଶିକ୍ଷକ ସେତେବେଳେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କଲେ ପଛକୁ । ଇଣ୍ଡିଆ ଗେଟ୍‍, ପୋତାଶ୍ରୟର ପୋତାମାଳା ସବୁ ସେତେବେଳେ ଲୁଚି ଗଲାଣି । ପୃଥିବୀର ଗୋଲାକାର ଯୋଗୁଁ ଏହା ସମ୍ଭବ ବୋଲି ସେ କହିଲେ । ପ୍ରାୟ ଘଣ୍ଟାଏ କାଳ ପାଣି ସହ ଯୁଦ୍ଧ କରି ହଣ୍ଟର ଆସି ପହଞ୍ଚିଲା ଏଲିଫାଣ୍ଟାର ପଥର ଘାଟ ନିକଟରେ । ସେଇଠୁ ସେଇ ପଥର ସଡ଼କ ପାହାଚ ପାହାଚ ହୋଇ ଉଠି ଯାଇଛି ଉପରକୁ । ପାହାଡ଼ ଉଠିବାର ଆରମ୍ଭରେ ଗୋଟିଏ ଛୋଟ ଦୋକାନୀ ରବିବାରର ଜନସମାଗମ ଦୃଷ୍ଟିରୁ ଲେମ୍ବୁ, କମଳା, ପାନ, ଚିନାବାଦାମ ନେଇ ସେଠି ଉପସ୍ଥିତ । ସବୁ ଜିନିଷର ଦାମ ଦୁଇଗୁଣ ଚାରିଗୁଣ । ବିସ୍ମିତ ହେବାର କିଛି ନାହିଁ । ଲୋକଙ୍କ ଚାହିଦା ଓ ଦ୍ରବ୍ୟର ଅପ୍ରଚୁରତା, ପୁଣି ସେଠାକୁ ପଦାର୍ଥ ଆଣି ଯୋଗାଇବାର ତ ଗୋଟାଏ ମୂଲ୍ୟ ଅଛି । ଦୁଇ ଫୁଟିଆ ବଙ୍କା ବଙ୍କା ବେଣ୍ଟ ଥିବା ବାଡ଼ି ମଧ୍ୟ ବିକ୍ରି ହୁଏ ସେଠି ପାହାଡ଼ ଉଠାଳିଙ୍କ ସହାୟତା କରିବା ପାଇଁ । ଦାମ ବଡ଼ ଚଢ଼ା-ଗୋଟାଏ ଟ । ଆମ ଭିତରୁ ପନ୍ଦର ବର୍ଷର ବୁଢ଼ା ଶ୍ରୀମାନ୍ ଶୁଭକରଣ ସେଥିରୁ ଗୋଟିଏ କଣିଲେ । ସେଠି ସବାରି ଓ ସବାରି ବାହକମାନେ ମଧ୍ୟ ପ୍ରସ୍ତୁତ ହୋଇ ରହିଥାନ୍ତି-। ଟଙ୍କା ପାଇଲେ ନେଇ ଉପରେ ଥୋଇଦେବେ । ଉପରେ ଚା’ଜଳଖିଆ ଦୋକାନ ରହିଛି । ଖାଲି ପାଣି ବିକ୍ରି ହୁଏ ଗିଲାସ ଦି’ ପଇସା ମୂଲ୍ୟରେ । ଯାହାକୁ ଶୋଷ କରୁଥିଲା ସେତ ପିଇଲେ-। ଶୋଷ ନ ଥାଇ ପଇସାଦିଆ ପାଣିର ସୁଆଦ ଚାଖିବାକୁ ମଧ୍ୟ କାହାରି କାହାରି ମନରେ ଇଚ୍ଛା ଜାଗି ନାହିଁ—ଏ କଥା କହି ହେଉ ନାହିଁ ।

 

ଗୁମ୍ପା ପ୍ରବେଶ ପୂର୍ବରୁ ସରକାରୀ ପ୍ରତ୍ନତତ୍ତ୍ଵ ବିଭାଗର ଚାରିଅଣିଆ ଟିକଟ୍‍ କିଣିବାକୁ ହୁଏ । ପାହାଡ଼ ମଧ୍ୟରେ ଚାରୋଟି ଗୁମ୍ଫା ଅଛି । କନ୍ତୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ଵ ରହିଛି କେବଳ ପ୍ରଥମ ଗୁମ୍ପାରେ । ଏଲିଫାଣ୍ଟାର ପ୍ରସ୍ତର ଶିଳ୍ପ କେବଳ ଏହି ଗୁମ୍ପାରେ ଦେଖିବାକୁ ମିଳେ । ଦିତୀୟ, ତୃତୀୟ ଓ ଚତୁର୍ଥ ଗୁମ୍ଫାଗୁଡ଼ିକ ଅତୀବ ଜୀର୍ଣ୍ଣ, ଭଗ୍ନ ଓ ପ୍ରାୟ ବୈଚିତ୍ରହୀନ । ପ୍ରଥମ ଗୁମ୍ଫାରେ ପୂର୍ବବର୍ଣ୍ଣିତ ମୂର୍ତ୍ତିଗୁଡ଼ିକ ଦେଖିବାରେ ପ୍ରାୟ ଘଣ୍ଟାଏ ଗଲା । ଏହି ମୂର୍ତ୍ତି ସବୁ ପଥରରେ ଅଲଗା ତିଆର ହୋଇ ପ୍ରତିଷ୍ଠିତ ହୋଇ ନାହିଁ । ଏଗୁଡ଼ିକ ଗୁମ୍ପାର ପଥର ଦେହରେ ଖୋଦିତ । ତେଣୁ ଏ ସବୁକୁ ଆଣି କୌଣସି ମ୍ୟୁଜିୟମରେ ରଖିବା ସମ୍ଭବ ନୁହେଁ । ମୂର୍ତ୍ତିଗୁଡ଼ିକର ଆକାର ଅତି ବଡ଼ । ପ୍ରାଚୀନତା ହେତୁ ସେଗୁଡ଼ିକର ସୂକ୍ଷ୍ମ କାରୁକାର୍ଯ୍ୟ ସବୁ କ୍ଷୟିତ ହୋଇଗଲାଣି । ଗୁମ୍ଫା ମଧ୍ୟରେ ଗୋଟିଏ ଜଳଭଣ୍ଡାର ଅଛି । ଶୁଣିଲୁ ସେହି ଜଳ କୁଆଡ଼େ ବଡ଼ ହିତକର ।

 

ଗୁମ୍ଫା ଗୁଡ଼ିକୁ ଛାଡ଼ିଦେଲେ ମଧ୍ୟ ଏଲିଫାଣ୍ଟାର ଅନ୍ୟ ଏକ ବୈଶିଷ୍ଟ୍ୟ ଅଛି । ଚାରିପାଖରେ ସମୁଦ୍ର, କ୍ଷୁଦ୍ରଦୀପ ଶୈଳଟିଏ, ତରୁଲତା ଓ ଛାୟାରୂପକ ପ୍ରାକୃତିକ ବିଭବରେ ଭରପୂର । ବଣଭୋଜୀ ପାଇଁ ତା’ଠାରୁ ଆଉ ସୁନ୍ଦର ସ୍ଥାନ ସହଜରେ ମିଳିବ ନାହିଁ । ବମ୍ବେବାସୀ ତାଙ୍କର ଅବସର ବିନୋଦନ ପାଇଁ ଏଠାକୁ ଯାଆନ୍ତି । ଆମେ ଦେଖିଲୁ , ଦଳ ଦଳ ସ୍କୁଲ କଲେଜ ପିଲା ଜଳଖିଆ କିମ୍ବା କଞ୍ଚା ଖାଦ୍ୟଦ୍ରବ୍ୟ ନେଇ ସେଠାକୁ ଯାଇଥାଆନ୍ତି । ଦଳେ ରାନ୍ଧିବାରେ ଲଗିଥାଆନ୍ତି । କେତେ ପରିବାର-ପିତା, ମାତା, ପୁତ୍ର, କନ୍ୟା ସେଠି ଆମୋଦରେ ଦିନଟି କଟାଇବା ପାଇଁ ଯାଇଥିବାର ଦେଖିଲୁ । ସତରଞ୍ଜି ବିଛାଇ ଗୋଟାଏ ସ୍ଥାନରେ ଚାରିଜଣ ତରୁଣୀ ବସି ତାସ୍ ଖେଳୁଥାଆନ୍ତି । ନିକଟରେ ଜଣେ ଗଡ଼ୁଥାଆନ୍ତି, ହାତରେ ଖଣ୍ଡିଏ ପତ୍ରିକା । ଗୋଟାଏ କୋଣକୁ ବସିଥାଆନ୍ତି ଜଣେ ପୌଢ଼ା, ସେ ବୋଧହୁଏ ମା ହେବେ । ଟିଫିନ କେରିଅର ଖୋଲି ନିକଟସ୍ଥ ଛୋଟ ବାଳକଟିକୁ ଜଳଖିଆ ଦେଇ ତରୁଣୀମାନଙ୍କ କୌତୁକ ଦେଖୁଥାଆନ୍ତି । ଆମ୍ଭେମାନେ ଏମାନଙ୍କ ସୌଭାଗ୍ୟରେ ଯଥେଷ୍ଟ ଈର୍ଷାବୋଧ କରୁଥାଉଁ । ମନେ ହେଲା, ସମୟ ଥିଲେ ଏଲିଫାଣ୍ଟା ପାଇଁ ସାରା ଦିନଟି ଦିଆଯାଇ ପାରିଥିଲେ ବେଶ୍ ମଜା ହୋଇଥାଆନ୍ତା । କିନ୍ତୁ ଘଣ୍ଟାରେ ତେଣେ ସାଢ଼େ ଏଗାରଟା । ହଣ୍ଟର ସଙ୍ଗେ ଆମର ଜବାବ୍ ଥିଲା ସାଢ଼େ ବାରଟା ପୂର୍ବରୁ ଫେରିବାକୁ । ତେଣୁ ଗଛ ଚଳ ଚଉତିରା ଛାଇର ଆରାମ ଛାଡ଼ି ଉଠିଲୁ । ଯାତ୍ରୀ ଆମେ, ବିଶ୍ରାମ ଆମକୁ ସାଜେନା ! ଗେଟ୍‍ ନିକଟ ଅଫିସରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଛାପା ହୋଇ ଏଲିଫାଣ୍ଟାର ଫଟୋ ସବୁ ବିକ୍ରୀ ହୁଏ—ଟ ୪°/ ରେ ଗୋଟାଏ ସେଟ୍‍ ମିଳେ, ପନ୍ଦରଟି ଛବି । ଅନେକ ତହିଁରୁ ଗୋଟାଏ ଗୋଟାଏ ସେଟ୍‍ କଣିଲେ । ପଥର ପାହାଚରେ ଓହ୍ଲେଇ ଆସିଲା ବେଳକୁ ଦେଖିଲୁ ଗୋଟାଏ ଆଙ୍ଗ୍ଳୋ-ଇଣ୍ଡିଆନ୍ ପରିବାର ଉପରକୁ ଉଠୁଛନ୍ତି । ପ୍ରାୟ ଦଶ ବର୍ଷର ପୁଅଟି ନିଶ୍ଚିନ୍ତ ଚାଲିଛି । ଝିଅଟି ଯୁବତୀ, ତନ୍ୱୀ, ଗାମ୍ଭୀର୍ଯ୍ୟ ରଖି ସେ ମଧ୍ୟ ଉଠି ଚାଲିଛି । ପିତା ମାତା ପଛରେ । ମାତାଙ୍କର ବୟସ ପ୍ରାୟ ୪୦, ତହିଁରେ ଶରୀର ଟିକିଏ ପୃଥୁଳ ଥିବାରୁ ତାଙ୍କୁ ବେଶି କଷ୍ଟ ହେଉଥିଲା । ତାଙ୍କୁ ଶ୍ରମର ପ୍ରମାଣ ରୂପେ ଝରୀ ପଡ଼ୁଥାଏ କପାଳରୁ ଅବାରିତ ସ୍ଵେଦଧାରା ଯାହାକୁ ତାଙ୍କ ରୁମାଲ ସମ୍ଭାଳି ପାରୁ ନ ଥାଏ, ଆଉ କ୍ଳାନ୍ତିର ସ୍ପଷ୍ଟ ଅଭିନୟ କରୁଥାନ୍ତି ସେ ଓଠକୁ କାମୁଡ଼ି । ତଥାପି ଉଠିବାକୁ ହେବ ମୋଟା ଦେହଟାକୁ ଟାଣି ଟାଣି ନେଉଥାନ୍ତି ସେ । ଏଲିଫାଣ୍ଟା ଉପରେ ଅଛି ଯେଉଁ ଛାୟା ଆଉ ଆନନ୍ଦ, ସେହ ପ୍ରଲୋଭନରେ ଏ ଯାତନା ବରଣ କରିବାକୁ ସେ ରାଜି ହୋଇଥିବେ । ଯା ହେଉ ତାଙ୍କର ପରୀକ୍ଷା ପ୍ରାୟ ସରି ଆସିଥିଲା । ଅଳ୍ପ କେତୋଟି ପାହାଚ ଚଢ଼ିଗଲା ପରେ ସେ ଏ ଦଣ୍ଡରୁ ମୁକ୍ତି ପାଇଥିବେ ।

 

ହଣ୍ଟରରୁ ଓହ୍ଲାଇ ଦୋମହଲା ବସରେ ଗଲୁ ହୋଟେଲକୁ ଖାଉ ଖାଉ ବ୍ୟବସ୍ଥା ହେଲ ଫାଷ୍ଟ ଶୋ ଦେଖାହେବ । ଲିବର୍ଟିର air-conditioned ହଲରେ ଦେଖା ହେଲା ସାହ “ପୈସାହି ପୈସା” । ଅତି ଆଧୁନିକ ଧରଣର ସଜ୍ଜା । ଭିତରର ସବୁଆଡ଼େ ତଳେ ବିଛା ହୋଇଛି ଲାଲ ରଙ୍ଗର ମଖମଲ କନା । ସିଟରେ ଯାଇ ବସି ପଡ଼ିଲେ ସିଟଟା ଟିକିଏ ଆଗକୁ ଲମ୍ବିଯାଏ, ଦର୍ଶକକୁ ଆରାମରେ ବସିବାକୁ ଦେବାର ସ୍ଵାଗତ ଜଣାଇ । ଆମ ଓଡ଼ିଶାରେ ଏପରି ହଲ୍‍ ସ୍ଵପ୍ନ । ଜଣେ ଅଧେ ତ ଏ ଚଉକି ମେଜିକରେ ପଡ଼ିଯିବାର ଭୟ କରି ଉଠିପଡ଼ିଲେ । ମଜା କଥା ଯେ ସାଙ୍ଗେ ସାଙ୍ଗେ ପୁଣି ସେ ପଛକୁ ଘୁଞ୍ଚିଗଲା । ଫେର୍ ବସି ପଡ଼ିଲା କ୍ଷଣି ଆଗକୁ ଖସିଲା । ରବି ମତେ ଆସ୍ତେ ଆସ୍ତେ ପଚାରିଲା, “ଆଜ୍ଞା, ଇଏ କଣ ହେଉଚି ?” ମୁଁ ଏବେ କି ଉତ୍ତର ଦେବି ? କହିଲି, “ଅସୁବିଧା ତ ହେଉ ନାହିଁ ?” ସେ କହିଲା, “ନାଇଁ ଆଜ୍ଞା, ଭଲ ଲଗୁଚି ।” “ବେଶ୍, ତା’ ହେଲେ ବସି ଦେଖ, ପରେ କହିଦେବା ।” ଏତକ କହିଦେଇ ମୁଁ ହସ ଚାପି ରହିଲି ! air conditioned ହଲ୍‍ ଓଡ଼ିଶାରେ ନାହିଁ; କଲିକତା; ବମ୍ବେର ସବୁ ହଲ ମଧ୍ୟ ନୁହେଁ । ତେଣୁ ପିଲାଙ୍କ ପକ୍ଷରେ ଥଣ୍ଡା କିପରି ନୂଆ ଲାଗୁଥାଏ । ଇଣ୍ଟରଭାଲରେ ଜଣେ ପଚାରିଲା, “ଆଜ୍ଞା, air-conditioned କେଉଁଠି ହୋଇଛି ?” ମୁଁ କହିଲି, “ସବୁଆଡ଼େ ।” ବୋକା ପରି ସେ ଚାହିଁଲା । ମୁଁ ପୁଣି ପଚାରିଲି, “ଥଣ୍ଡା ଲଗୁଚି ନା ? ପବନର ଏଇ ଗୋଟାଏ ଉତ୍ତାପ ଅପରବର୍ତ୍ତନୀୟ ଅବସ୍ଥାରେ ରଖିବାକୁଟାକୁ air-conditioning କହନ୍ତି । ବାହାରେ କେତେ ଗରମ, କିନ୍ତୁ ଭିତରେ କିମିତି ଆରାମ ଆଉ ଶୀତଳ ଲାଗୁଚି ଦେଖୁଚ ? ରବି ବଡ଼ ବିଜ୍ଞ ଭାବରେ ସବୁ ବୁଝି ବୁଝି ଶେଷରେ ପଚାରିଲା, “ଆଜ୍ଞା, Hot air-conditioning ବି ତ ହେଉଥିବ ’’ ସମସ୍ତେ ହସିଦେଲେ ।

 

ଇଣ୍ଟରଭାଲରେ ହଲ୍ ବାହାରେ ଖାଲି ଧୂଆଁ । ସିଗାରେଟର ଧୁମ୍ । ସମସ୍ତେ ପୁଣି ଚଞ୍ଚଳ ଚଞ୍ଚଳ ଟାଣିବାରେ ଲଗିଯାଇଥାନ୍ତି । ଖେଳ ଆରମ୍ଭ ହେବା ପୂର୍ବରୁ ଖତମ କରି ହଲରେ ଢୁକିବାକୁ ହେବ । ଆଇନ୍ ଅନୁସାରେ ହଲ ମଧ୍ୟରେ ଧୂମ୍ରପାନ ନିଷେଧ । ଓଡ଼ିଶାରେ ଏପର୍ଯ୍ୟନ୍ତ ହୋଇ ନାହିଁ । ଆହୁରି ମଧ୍ୟ ଗୋଟାଏ କଥା, ଏଠି ପରିସ୍ରା କରିବା ବା ଅନ୍ୟ କୌଣସି କାରଣରୁ ହଲରୁ ବାହାରି ଆସିଲେ ଗେଟ ପାଶ୍ ଦରକାର ପଡ଼େ ନାହିଁ । କାରଣ ଯେତିକି ଯାଗା ତହିଁରୁ ବେଶୀ ଟିକଟ ବିକ୍ରି ହୁଏ ନାହିଁ ଏବଂ ପ୍ରତ୍ୟେକ ଟିକଟର ନମ୍ବର ଥିବାରୁ ଟିକଟ ନ ଥିବା ଲୋକ ହଲ ଢୁକିଲେ ମଧ୍ୟ ଜାଗା ନ ପାଇ ଧରା ପଡ଼ିଯିବ, ତେଣୁ ଚିରା ଟିକଟର ଖଣ୍ଡଟି ନିଜ ପାଖରେ ଯତ୍ନ କରି ରଖିବା ଦରକାର । ସେଇଟା ପାଶ୍ । ତୁମେ ଟିକଟ କାଟିଛ । ତୁମେ ନ ଥିଲେ ବା ନ ଆସିଲେ ତୁମ ଯାଗା ଖାଲି ପଡ଼ିଥିବ; କେହି ବସିବେ ନାହିଁ । ଟିକଟ କିଣାହେଲା ମାନେ ଖେଳର ସେହି ଶୋ ପାଇଁ ତୁମ ସ୍ଥାନଟି ତୁମରି ପାଇଁ ରିଜର୍ଭ ରହିଲା । ସେଥି ଲାଗି ଏହିପରି ବଡ଼ ବଡ଼ ସିନେମା ଘରେ କୌଣସି ଗଣ୍ଡଗୋଳ ହୁଏ ନାହିଁ । ସମସ୍ତେ ଭଦ୍ର ଭାବରେ ନିଜ ନିଜ ସ୍ଥାନ ପାଇ ବସିଯାନ୍ତି ।

 

ଚାହୁଁ ଚାହୁଁ ଅଢ଼େଇ ଘଣ୍ଟାର ଖେଳଟା ସରି ଆସିଲା । ଧନୀ ମହାଜନ—ଲୋଭୀ ସେ–ତାର ସଯତ୍ନସଞ୍ଚିତ ଅସଂଖ୍ୟ ନୋଟ ଝଡ଼ରେ ଉଡ଼ି ଉଡ଼ି ଯାଉଥାଏ; ଖେଳ ସରିଲା । ଆମେ ବାହାରି ଆସି Unconditioned air ର ଉତ୍ତାପ ଅନୁଭବ କଲୁ । କପେ ଲେଖାଏଁ ଚା’ ଖାଇ ବାହାରିଲୁ ବମ୍ବେର ହୃତସ୍ଥଳ-କାଲବା ଦେବୀ ଅଭିମୁଖରେ । ପଦବ୍ରଜରେ ବମ୍ବେର ଗୁସ୍ତା ଘୁରି ବୁଲିବାର ସମୟ ଆସିଲା । ଚୌବେଜୀ ସମସ୍ତଙ୍କୁ ସତର୍କ କରାଇ ଦେଲେ ପଇସାପତ୍ର ଓ ପକେଟ ଉପରେ ଦୃଷ୍ଟି ରଖିବାକୁ । ଏହି କାଲବା ଦେବୀ ଅଞ୍ଚଳ କାରବାରର ପ୍ରଧାନ କ୍ଷେତ୍ର । ବମ୍ବେର ଅନ୍ୟାନ୍ୟ ଅଞ୍ଚଳ ପରି ରାସ୍ତା ଏଠି ଏତେ ପ୍ରଶସ୍ତ ନୁହେଁ । ଘରଗୁଡ଼ିକ ଘଞ୍ଚ ଓ ଜନଗହଳି ମଧ୍ୟ ବେଶୀ, କଲିକତାର ହରିସନ୍ ରୋଡ୍ ପରି । ସେଦିନ ଦଶହରା ହୋଇଥିବାରୁ କାଲବା ଦେବୀରେ ଅବସ୍ଥିତ ବମ୍ବେର ଅଧିଷ୍ଠାତ୍ରୀ ମୁମ୍ବାଦେବୀଙ୍କ ଦର୍ଶନ ପାଇଁ ଲୋକଗହଳି ବେଶୀ ଥାଏ ।

 

ଦଶହରା ଦିନ ବମ୍ବେରେ ଅନ୍ୟ ଏକ ରୀତିର ପ୍ରଚଳନ ଦେଖିଲୁ । ବୋଝ ବୋଝ ହୋଇ ଏକ ପ୍ରକାର ଡାଳ ସହରରେ ବିକ୍ରି ହେଉଥାଏ । ବଙ୍ଗଳାର “କୋଳାକୋଳି” ବା ବନ୍ଧୁମିଳନ ପରି ପୂଜାର ଉତ୍ସବ ପରେ ସମସ୍ତେ ସମସ୍ତଙ୍କ ସହିତ ମିଳିତ ହୁଅନ୍ତି ଏବଂ ଏହି ଡାଳ ପରସ୍ପରକୁ ଆଦାନ ପ୍ରଦାନ କରନ୍ତି । ଠାକୁର ଠାକୁଣୀଙ୍କଠାରେ ମଧ୍ୟ ଏହି ଡାଳ ସହିତ ନଡ଼ିଆ ପ୍ରଭୃତି ଉପହାର ଦିଅନ୍ତି-। କିଶୋରୀଲାଲ ଅଭିଳଷିତ ମୁମ୍ବାଦେବୀଙ୍କ ଦର୍ଶନ ହେଲା । ସେ ଲୋକଗହଳି, ଧସ୍ତାଧସ୍ତି, ଜଗନ୍ନାଥଙ୍କ ସାହାଣମେଳା ଦର୍ଶନ ଅଥବା କଲୀକତାରେ କାଳୀ ଦର୍ଶନର ସ୍ମୃତି ଆଣି ଦେଉଥାଏ-। ପୁଲିସ ବି ଥାଆନ୍ତି ଶାନ୍ତି ରକ୍ଷା କରିବା ପାଇଁ । ସେଠୁ ଆମେ ଚାଲି ଚାଲି ଫେରିଲୁ ମୋତିବଜାର ବାଟେ । ରାତିର ଆଲୁଅରେ ବମ୍ବେର ମୋଡ଼ ବଜାର ଏକ ଦର୍ଶନୀୟ ସ୍ଥାନ । ସ୍ଵଚ୍ଛ କାଚର ଆଲମାରି ମଧ୍ୟରେ ଧାଡ଼ି ଧାଡି ସଜା ହୋଇଥିବା ସୁନା, ରୂପା, ହୀରାର ଗହଣାଗୁଡ଼ିକ ସେହି ଆଲୋକ-ବନ୍ୟାରେ ଝଳି ଉଠୁଥାଏ । ଆଖି ଝଲସି ଉଠେ । ପକେଟରେ ପଇସା ଥିଲେ ସେଠିକି ଯିବ, ନୋହିଲେ ବାହାରୁ ଦେଖିଲେ ମନରେ ଅପଶୋଷ ଆସେ । ମଣିଷ ମନର ଲୋଭ, ନିଜର କରିନେବା ପ୍ରବୃତ୍ତିର ଉଗ୍ରତା ଉପରେ ଆଲୁଅର ଦୋକାନ ସଜାଇ ସେମାନେ କୋଟିପତି ହୋଇଛନ୍ତି ।

 

ମାର୍କେଟରେ ମଧ୍ୟ ସେଦିନ କାରବାରର ଭିଡ଼ ଥାଏ । ପିଲାଙ୍କ ପାଖରେ କଣାକିଣି କରିବା ପାଇଁ ଥିବା ପଇସା ଖାଲି ଚମକି ଉଠୁଥାଏ, ମନ ଟାଣି ହେଉଥାଏ; କିନ୍ତୁ ବଜାର କରିବା ପାଇଁ ତହିଁ ଆର ଦିନ ନିର୍ଦ୍ଦିଷ୍ଟ ହୋଇଥିବାରୁ ଆଉ କାଳକ୍ଷେପ ନ କରି ଆମେ ପୁଣି ଫେରିଲୁ ଜି.ପି.ଓ. ନିକଟବର୍ତ୍ତୀ ଆମର ପରିଚିତ ମରହଟ୍ଟୀ ହୋଟେଲକୁ କ୍ଷୟ ପୂରଣର ଖୋରାକ୍‍ ନେବାକୁ ।

★★★

 

-ଚତୁର୍ଥ ଦିନ-

 

ଆର ଦିନ ଶିପ୍‍ ହୋଟେଲ ନିବାସୀ ଦାସ ମହାଶୟଙ୍କ ପାଖରୁ ସୁପାରିଶ ପତ୍ର ନେଇ ଏକ ସ୍ଵତନ୍ତ୍ର ଭଡ଼ା ବସରେ ଚାଲିଲୁ ତରୁଣର ସ୍ଵପ୍ନଭୂମି ରାଜକପୁର ଷ୍ଟୁଡିଓକୁ । “ପୈସା” ନାମକ ଗୋଟାଏ ଫିଲ୍ମର ସୁଟିଂ ବା ଦୃଶ୍ୟ ଚିତ୍ର ଗ୍ରହଣ ମଧ୍ୟ ସେଦିନ ଥାଏ; କିନ୍ତୁ ଅଭିନେତା ଓ ଅଭିନେତ୍ରୀମାନଙ୍କର ମତାଭାବରୁ “ପୈସା” ଖେଳର ସୁଟିଂ ଦେଖିବା ଆମ ପକ୍ଷରେ ସମ୍ଭବ ହେଲାନାହିଁ । ଷ୍ଟୂଡିଓ ଅବଶ୍ୟ ଦେଖିଲୁ କିନ୍ତୁ ସେ ମଧ୍ୟ ଏତେ ସହଜରେ ନୁହେଁ । ଦାସ ମହାଶୟଙ୍କ ସୁପାରିଶ କ୍ରମେ ଯେଉଁ ସୁବିଧା ପାଇବା ଆଶା ଆମର ଥିଲା ତାହା ସମ୍ଭବ ହେଲା ନାହିଁ , କାରଣ ତାଙ୍କର ଯେଉଁ ବନ୍ଧୁଙ୍କୁ ସେ ଆମ୍ଭମାନଙ୍କ ବିଷୟ ବୁଝିବାକୁ ଲେଖିଥିଲେ, ସେ ଉପସ୍ଥିତ ନ ଥିଲେ । ଦାୟିତ୍ଵ ନେଇ ଅନ୍ୟ ଯେ ଥିଲେ ସେ ଅବଶ୍ୟ ଦାସ ମହାଶୟଙ୍କ ପତ୍ରର ଅମର୍ଯ୍ୟଦା କଲେ ନାହିଁ ଏବଂ ଦେଖାଇ ଦେବାକୁ ରାଜି ହେଲେ, କିନ୍ତୁ ତାଙ୍କର ଭାବରୁ ଜଣା ପଡ଼ିଲା ଯେ ସେ ପ୍ରୀତ ନୁହନ୍ତି; ସେ ପ୍ରସଙ୍ଗ କ୍ରମେ ମଧ୍ୟ କହି ପକାଇଲେ, “ଆମର ଏ ଗୋଟାଏ ନିତ୍ୟ ପାଲା । ତରୁଣମାନଙ୍କର ଏ ଏକ ଉତ୍ସବ କ୍ଷେତ୍ର ହୋଇଛି । ବାସ୍ତବିକ ସତ କଥା । ଆମେ ମଧ୍ୟ ଦେଖିଲୁ , ଦକ୍ଷିଣରୁ ହୋବଲି ଇଂଜିନିଅରିଂ କଲେଜର ଛାତ୍ରମାନେ ମଧ୍ୟ ଆମରି ପରି ଅପେକ୍ଷା କରିଥାନ୍ତି । ତାହା ଛଡ଼ା ଆହୁରି ଦଳେ ଯୁବକ, ସେ ବି କୌଣସି କଲେଜରୁ ଆସିଥିବେ ମନେ ହେଲା, ଆମ ଆଗରୁ ଯାଇ ପହଞ୍ଚିଥାନ୍ତି । ଆମେ ସମସ୍ତେ ମିଶି ଦର୍ଶନପ୍ରାର୍ଥୀ ଯେତେ ଥିଲୁ ସଂଖ୍ୟା କଲେ ପ୍ରାୟ ଚାଳିଶ ପର୍ଯ୍ୟନ୍ତ ହେବୁ । ଏପରି ପରିସ୍ଥିତିରେ ଏକ ଅଭୂତ ଆତ୍ମଗ୍ଳାନି ଆସୁଥାଏ; କିନ୍ତୁ ତଥାପି ଅପେକ୍ଷା କରିଥାଉଁ ।

 

ହଁ, ଆମ ପିଲାଙ୍କ କଥା କହିନାହିଁ । ସେଦିନ ସମସ୍ତଙ୍କ ବେଶ ବିଡ଼ ଚକ୍ ଚକ୍ । ଜୋତା ଭିତର ମୋଜା ହୁଏ ତ ଟିକିଏ ଛିଣ୍ଡି ଯାଇଥିଲା । ଷ୍ଟୁଡିଓ ଯିବା ପୂର୍ବରୁ ତେଣୁ କେହି କେହି ନୂଆ ମୋଜା କିଣିଲେ । ଯାହାର ଯେଉଁ ପୋଷାକ ସବୁଠାରୁ ବେଶୀ ମନୋମତ, ସେହି ପୋଷାକ ସେଦିନ ଦେହରେ । ମନରେ କିପରି ଏକ ସ୍ଵପ୍ନିଳ ଭାବ । ଷ୍ଟୁଡିଓ ଦେଖା ଅପେକ୍ଷା ସେଠି ଯେ ଭିନ୍ନ ଆକର୍ଷଣ ଥିଲା, ସେ ହେଉଛି ସଶରୀରେ ତାଙ୍କ ମନର ଅଧିଷ୍ଠାତା ଦେବ ଦେବୀଙ୍କର ଦର୍ଶନ ପ୍ରତ୍ୟାଶା । ବହୁ ସମୟ ଗେଟ୍ ପାଖରେ ଅପେକ୍ଷା କଲା ପରେ ଚିତ୍ରତାରକା ଗୀତାବାଲୀ ବାହାରି ଗାଡ଼ିରେ ଗଲେ । ଗୋଟାଏ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତେ ସେହି ଅଦ୍ଭୁତ ତାରକାଙ୍କର ଦର୍ଶନରେ କିପରି ଏକ କୃତ୍ୟକୃତ୍ୟ ଭାବ ପ୍ରକାଶ କରୁଥାନ୍ତି । ତାଙ୍କର ପରସ୍ପର ଆଲୋଚନା ମଧ୍ୟରେ ଶୁଣିବାକୁ ମିଳଥିଲା ଯେ ରୂପେଲି ପର୍ଦ୍ଧାର ସେହି ବୀରଗୁଡ଼ିକ ଜୀବନ୍ତ ଶରୀରରେ ଠିକ୍ ସେହିଭଳି ନା ନୁହନ୍ତି, ତାହା ଜାଣିବାକୁ ସେମାନେ କୁତୂହଳୀ ଥିଲେ । ତେଣୁ ସେ ମର୍ମରେ ଆଲୋଚନା ଚାଲିଲା ।

 

ଆମର ଦଳରେ ଜଣେ ଯୁବକ ଥିଲେ । ତାଙ୍କ ବିଷୟରେ କିଛି କହିଲେ ତରୁଣମାନଙ୍କ ଏ ବିଷୟରେ ମନୋଭାବର ପୂର୍ଣ୍ଣ ସୂଚନା ମିଳିବାର ସମ୍ଭାବନା ଥିବାରୁ ଉଲ୍ଲେଖ କଲି । ଯୁବକ ଉତ୍କଳବାସୀ, ଓଡ଼ିଆ, ହାଇଦ୍ରାବାଦରେ କୌଣସି କଲେଜରେ ଅଧ୍ୟୟନ କରନ୍ତି । ଦେଖିବାକୁ ଈଷତ୍ ଶ୍ୟାମଳବର୍ଣ୍ଣ ହେଲେ ମଧ୍ୟ ସୁଶ୍ରୀ । ପରିଷ୍କାର ପୋଷାକ—ଖଣ୍ଡିଏ ଦାମୀ କନାର ଫୁଲପେଣ୍ଟ, ଚକ୍ ଚକ୍ ଧଳା ଡବଲ୍ କପ୍ କାମିଜି, ଏକ ସୁନ୍ଦର ଚିତ୍ରିତ ନେକଟାଇ ଆଉ ଫେଲଟ ହ୍ୟାଟ, ଗୋଡ଼ର ଜୋତା ଉଜ୍ଜ୍ଵଳ ପାଲିସଦିଆ—ଆମୂଳଚୂଳ ଫିଟଫାଟ୍‍ । ଖଣ୍ଡେ ଦାମୀ କ୍ୟାମରା ଫିତାର ସହାୟତାରେ ବେକ ତଳକୁ ଝୁଲୁଥାଏ । ଆମର ଓଡ଼ିଆ କଥାବାର୍ତ୍ତା ଶୁଣି ପରିଚୟ ଦେଲେ ଆଉ ଆମର ପରିଚୟ ମଧ୍ୟ ନେଲେ । ନିଜର ଦୁଇ ଦିନ ବମ୍ବେ ରହଣି ମଧ୍ୟରେ କିପରି ଅତି ଚଞ୍ଚଳ ସବୁ ଦେଖି ପାରିଛନ୍ତି ଖୁବ୍ ବାହାଦୁରି କରି କହିଲେ ଏବଂ ଆମର ସବୁ କଥା ମଧ୍ୟ ଶୁଣିଲେ । ତାଙ୍କର ପୋଷାକ ପରିଚ୍ଛଦରୁ ପିଲାମି ଅତି ସ୍ପଷ୍ଟ ଜଣା ପଡ଼ୁଥିଲେ ମଧ୍ୟ(ଆମ ଆଖିକୁ ଏଇ ଧରଣର ବିଚିତ୍ରତାଟା ଚଞ୍ଚଳ ବଡ଼ ଜଣା ପଡ଼ିଯାଏ—ଏହାକୁ କେହି କେହି ବନ୍ଧୁ ପରିହାସରେ ମନୋବିଜ୍ଞାନର ତତ୍ତ୍ଵ ଗବେଷଣା କରିବାର ଛଳନା କରି ଶିକ୍ଷକମାନଙ୍କର ଈର୍ଷା ବୋଲି ସମାଲୋଚନା କରିବାର ଶୁଣିଛୁ) ତାଙ୍କର ସହଜ, ସରଳ, ଅତି ପରିଚିତ ଭାବ ଏବଂ ଅପ୍ରତିଭତାର ଏପରି ଏକ ଆକର୍ଷଣ ଥିଲା, ଯାହାର ପ୍ରଭାବରେ ସେ ମିନିଟିକର ଦର୍ଶନରେ ଯେ କୌଣସି ଲୋକର ମନକୁ ଅଧିକାର କରି ପାରନ୍ତେ, କିନ୍ତୁ ତାଙ୍କର ଗାମ୍ଭୀର୍ଯ୍ୟରହିତ ଚପଳ ଭାବ ମଧ୍ୟ ଲକ୍ଷ୍ୟ କରି ପାରିଥିଲୁ । ତାଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ଜଣା ପଡ଼ୁଥାଏ ଯେ ସେ ରାଜକପୁର ଷ୍ଟୁଡିଓକୁ ଆସିଥାନ୍ତି ସମସ୍ତଙ୍କ ସହ ଏକ ଅପୂର୍ବ ପରିଚୟ ଲାଭ କରିବେ ତଥା ସମସ୍ତଙ୍କୁ ପରିଚୟର ସ୍ମୃତି ମଧ୍ୟ ରଖିବେ ସେଇ କ୍ୟାମେରା ଦୟାରୁ । ସେ ଯେ ତାହା କରିପାରିଛନ୍ତି ବୋଲି ଆସ୍ଫାଳନ କଲେ ତାହା ମଧ୍ୟ ମିଥ୍ୟା ନୁହେଁ, କାରଣ ତାହାର ପ୍ରତ୍ୟକ୍ଷ ପ୍ରମାଣ ଆମେ ସଙ୍ଗେ ସଙ୍ଗେ ପାଇଲୁ । ତାଙ୍କର ଆଖି ଖାଲି ଅସ୍ଥିର ଭାବେ ଏପଟ ସେପଟ ହେଉଥାଏ । ହଠାତ୍ ଗୋଟାଏ ସୁନ୍ଦର କାରରେ ଆସି ପହଞ୍ଚିଲେ ଚିତ୍ରତାରକା ନୂତନ । ଦୁଆର ଖୋଲି ନୂତନ ପାଦେ ଅଗ୍ରସର ହେବା ପୂର୍ବରୁ ଯୁବକ ତାଙ୍କର ସମ୍ମୁଖବର୍ତ୍ତୀ ଖବର ହୋଇ ଅଭିବାଦନ ଜଣାଇ ଟିକିଏ ମୁଣ୍ଡ ନୂଆଁଇ ପ୍ରଶ୍ନ କଲେ, “May I know ମୁଁ ଜାଣିପାରେ କି...) ନୂତନ ବେଶ୍ ଆମୋଦରେ ଉତ୍ତର କଲେ, “Yes, Yes, Nutan ( ନିଶ୍ଚୟ, ନିଶ୍ଚୟ, ନୂତନ) । ଯୁବକ ପୁଣି ଅନୁରୋଧ କଲେ, you kindly pose before... (କ୍ୟାମେରା ଦେଖାଇ, ମୁହରେ ଅନୁନୟର ଏକ ସୁନ୍ଦର ଭଙ୍ଗୀ, ଆଖିରେ ଉଚ୍ଛ୍ଵସିତ ସପ୍ରଶଂସ ଭାବ) ନୂତନ ସଙ୍ଗେ ସଙ୍ଗେ ମଞ୍ଜୁର କଲେ ପ୍ରାର୍ଥନା । ଫିଲ୍ମ ତ ସଦା ପ୍ରସ୍ତୁତ । Snap ନେଇ ପୁଣି ଅଭିବାଦନ ଜଣାଇ ଆଗରୁ ଘୁଞ୍ଚିଗଲେ । ସବୁ ଯେପରି ଏକ ଅଭିନୟ; କିନ୍ତୁ ତରୁଣର ପ୍ରାଣ ତହିଁରେ ଭରପୂର । ଆମ ପିଲାଙ୍କ ମଧ୍ୟରେ କେହି କେହି ଯୁବକର ଏ ଗୌରବରେ ହୁଏତ ବ୍ୟଥା ଅନୁଭବ କରିଥିବେ-। କିନ୍ତୁ ଏହା ସତ୍ୟ ଯେ, ସେ ଅତି ଅଳ୍ପ ସମୟ ମଧ୍ୟରେ ଏ ସ୍ଵପ୍ନବିଳାସୀ ଦଳର ନେତା ହୋଇଗଲେ ଏବଂ ସେମାନଙ୍କ ମଧ୍ୟରେ ଯୁବକ ନିଜର ଷ୍ଟୁଡ଼ିଓ କୃତିତ୍ଵ ବ୍ୟାଖ୍ୟାନ କରିବାକୁ ଲାଗିଲେ । ଷ୍ଟୁଡ଼ିଓ ଦ୍ୱାର ଖୋଲିଲା । ବାହାରି ଆସିଲେ ପୃଥ୍ୱୀରାଜ କପୂର–ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ଅଭିନିୟ ଓ ଚରିତ୍ର ଗୌରବ ଲାଗି ଯେ ସୁଖ୍ୟାତି ଲାଭ କରିଛନ୍ତି । ରାଜ କପୂର ଓ ରାଜେନ୍ କପୂର ତାଙ୍କର ଦୁଇଟି ପୁତ୍ର ମଧ୍ୟ ଚଳଚ୍ଚିତ୍ର ରାଜ୍ୟରେ ସୁପ୍ରସିଦ୍ଧ । ଯୁବକ ପୁଣି ପୃଥ୍ୱୀରାଜଙ୍କ ସମକ୍ଷରେ ତାଙ୍କ ଅଭିନୟ ସାରି ଭିତରକୁ ଯିବାର ଅନୁମତି ଚାହିଁଲେ । ପୃଥ୍ୱୀରାଜଙ୍କ ମୁହଁରେ ଏକ ଅମାୟିକ ହସ–ସେ ଆନନ୍ଦରେ ସମ୍ମତି ଦେଲେ । ବହୁ ଦୁରାଗତ ଯାତ୍ରୀଦଳର କୌତୂହଳ ନିଶ୍ଚୟ ପୂର୍ଣ୍ଣ କରିବାର ପ୍ରତିଶ୍ରୁତି ଦେଇ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ, କାରଣ ସେତେବେଳେ ପୁଣି କାର୍ଯ୍ୟାରମ୍ଭ ହେବାର ଥାଏ ଖାଇବା ପରେ ।

 

ଷ୍ଟୁଡିଓ ଭିତରେ ପ୍ରବେଶ କଲୁ । ଡିରେକ୍ଟର, ଲାଇଟ୍ ଓ ସିନ୍ ଚାର୍ଜରେ ଥିବା ଲୋକେ ବ୍ୟସ୍ତ ଥାଆନ୍ତି ସାଜସଜ୍ଜା ସଂପୂର୍ଣ୍ଣ କରିବାରେ । ଅଭିନେତା ଓ ଅଭିନେତ୍ରୀମାନେ ଆବଶ୍ୟକ ଚିତ୍ର (ପେଣ୍ଟି) ଓ ବେଶ ଭୂଷଣ ଶେଷ କରି ଅପେକ୍ଷା କରିଥାନ୍ତି । ସେହି ଗୋଟାଏ ସିନ୍ ଡିରେକ୍ଟରଙ୍କ ମନୋମତ ହେବା ଭଳି ସାଜସଜ୍ଜା କରିବାରେ ପ୍ରାୟ ଘଣ୍ଟାଏ ଲାଗିଗଲା । ଆମେ ଏକପ୍ରକାର କ୍ଳାନ୍ତି ଅନୁଭବ କଲୁ ଏବଂ ଅଭିଜ୍ଞ ପୃଥ୍ୱୀରାଜ ପ୍ରଥମରୁ ଯେଉଁ ସତର୍କବାଣୀ ଶୁଣାଇଥିଲେ ତାହାର ସତ୍ୟତା ଉପଲବ୍‍ଧି କଲୁଁ । ସେଦିନ ଷ୍ଟୁଡିଓରେ ଭଡ଼ା ନେଇ ଖେଳ ଉଠାଉଥିଲେ ଅନ୍ୟ ଏକ ଦଳ-। ସେମାନେ ଆପତ୍ତା କରିବାରୁ ପୃଥ୍ୱୀରାଜ ଆସି ଯୁବକଙ୍କର ଓ ପିଲାଙ୍କର ହାତ ଓଠ ଧରି କ୍ଷମା ପ୍ରାର୍ଥନା କଲେ ପିଲାଙ୍କ କୌତୂହଳ ପୂର୍ଣ୍ଣ କରିବାରେ ନିଜର ଅକ୍ଷମତା ଜଣାଇ । ତାଙ୍କର ଦୃଶ୍ୟ ସଜ୍ଜା ପରେ ତେଣୁ ଆମେ ବିଦାୟ ନେଲୁ ।

 

ଆଗେ ଆଗେ ଯୁବକ ନେତାଙ୍କ ପଛରେ ଆମର ଦଳ ବାହାରିବା ମାନେ ଟିକିଏ ଦୂରରେ ଦେଖାଗଲେ ରାଜକପୂର ଓ ନର୍ଗିସ । ଓଃ ସେ କି ଉତ୍ସାହରେ ଯେ ସେମାନେ ଧାଇଁଲେ ! ଦର୍ଶନ ଓ ସାମାନ୍ୟ କଥାବାର୍ତ୍ତା ପରେ ସାହାସ ବଦନରେ ଧଳା ପରଦାର ସେହିପରି ଦୁଇଟି କାର୍ଯ୍ୟାନୁରୋଧରେ ଚାଲିଗଲେ । ତରୁଣମାନଙ୍କର ଗୋଟାଏ ବଡ଼ ଆଶା ପୂର୍ଣ୍ଣ ହେଲା । ଆମର ଷ୍ଟୁଡ଼ିଓ ଦେଖା ସରିଲା ଓ ପୁଣି ବସରେ ଯେତେବେଳେ ଆମେ ଉଠିଲୁଁ ପିଲାଙ୍କ ମଧ୍ୟରେ ଖାଲି ସେହି ଆଲୋଚନା । କିଏ ସେମାନଙ୍କର କେଉଁ ଦିଗ କିପରି ଲକ୍ଷ୍ୟ କରିଛି ସେ ବିଷୟରେ ଏକ ପ୍ରତିଯୋଗିତାମୂଳକ ବକ୍ତୃତା ଆରମ୍ଭ ହୋଇଗଲା । ଶ୍ରୋତା ବୋଧହୁଏ ଥାଉଁ ଆମେ ଚାରି ପାଞ୍ଚଟି ପ୍ରାଣୀ । ସିଟରେ ବସୁ ବସୁ ସୁଭାଷ, ଆଗ୍ରହାତିଶଯ୍ୟରେ କହି ପକାଇଲା, "ମତେ ତ ହୋ ସପନ୍ ଦେଖିଲା ମିତାନ୍ ଲାଗୁଛେ । ସତେ ଦେଖିଲା ହେମାନଙ୍କୁ ?” ତରୁଣ ମନରେ ଏପରି ଅପୂର୍ବ ପ୍ରଭାବଶାଳୀ ଆମ ଦେଶରେ ଆଉ କିଏ ଅଛି ଖୋଜି ବାହାର କରିବା ମୁଷ୍କିଲ ହେବ ।

 

R, K. (ରାଜକପୂର ଷ୍ଟୁଡିଓର ସଂକ୍ଷିପ୍ତ ନାମ)କୁ ଯିବାଦ୍ଵାରା କିନ୍ତୁ ଷ୍ଟୁଡିଓ ବିଷୟରେ ଏକ ଧାରଣା ଜନ୍ମିଲା । ହଲ ଘର ପରି ଗୋଟାଏ ବଡ଼ ନିବୁଜ୍‍ ଘର ଓ ଗଦା ଗଦା ପଟା ସଂଗରେ ବିଜୁଳି ଆଲୁଅ ପାଇଁ ଆବଶ୍ୟକ ଉପକରଣ ଏବଂ କ୍ୟାମେରା ଓ ସ୍ଵରସଂରକ୍ଷଣ ଯନ୍ତ୍ରପାତିର ସମଷ୍ଟି ଷ୍ଟୁଡିଓ । ଷ୍ଟେଜରେ ଥିଏଟର ବେଳେ ଯେପରି ଭିନ୍ନ ଭିନ୍ନ ଭାବରେ ଚିତ୍ରିତ ପରଦା ଦ୍ଵାରା କେତେବେଳେ କକ୍ଷ, କେତେବେଳେ ଉପବନ ପ୍ରଭୃତି ବିଭିନ୍ନ ଅଭିନୟସ୍ଥଳୀ ପ୍ରଦର୍ଶିତ ହୁଏ, ଷ୍ଟୁଡିଓରେ ମଧ୍ୟ ସେହି ଗୋଟିଏ ଘରେ ସବୁ ହୁଏ । ପଟା ଦେଇ ସଜାଇ ଓ ନାନା ପ୍ରକାର ତୂଳିକାର୍ଯ୍ୟ ସାହାଯ୍ୟରେ ବିଭିନ୍ନ ଦୃଶ୍ୟପଟ ରଚନା କରାଯାଏ । ଯେଉଁ ଦୃଶ୍ୟଟି ଥରେ ସଜ୍ଜିତ ହୁଏ ତହିଁରେ ଖେଳର ଯେଉଁଠି ଯେତେଥର ସେହି ସ୍ଥାନ ଦେଖାଇବା ଦରକାର ସବୁଗୁଡ଼ିକ ଏକା ଦିନକେ ଉଠାଇ ନିଆଯାଏ । ଏହି ଖଣ୍ଡ ଖଣ୍ଡ ଅଂଶକୁ ପୁଣି ଥରେ ଯୋଡ଼ି ଦିଆଯାଏ । ଏହାକୁ Editing ବା ସଂପାଦନା କହନ୍ତି । ସେହି ଘରଟି ମଧ୍ୟରେ ଆମେ ଦେଖିଲୁ ନୂଆଦିଲ୍ଲୀର ଗୋଟିଏ ଗଳି ସଜା ହୋଇଥିଲା । ଦି’ ମହଲା, ଚାରି ମହଲା ଘର, ବିଜ୍ଞାପନ ପଟା ସବୁ ଯଥାଯଥ ଭାବରେ ଏପରି ସଜ୍ଜିତ ହୋଇଥାଏ, ମନେ ହେଉଥାଏ ଠିକ୍ ଗୋଟାଏ ଗଳି । ଛବି ଉଠାଇ ନେଲେ କାହାରି ଜାଣିବାର ଜୁ’ ରହିବ ନାହିଁ ଯେ ଏଇଟା ଗୋଟାଏ ଖଞ୍ଜା ଗଳି । ସବୁ ଦୃଶ୍ୟର ଚିତ୍ର ଯେ ସେ ଘର ଭିତରେ ନିଆଯାଏ, ତାହା ନୁହେଁ । ଆବଶ୍ୟକ ହେଲେ ବାହାରେ ମଧ୍ୟ ଛବି ଉଠାଯାଏ ।

 

ବମ୍ବେରେ ଆମର ରହିବା ସମୟ ସରି ଆସୁଥାଏ । ଆହୁରି କେତେ ଅନୁଷ୍ଠାନ ପାଖ ଦେଇ ଆମେ ଯାଇଛୁ—ସାନ, ବଡ଼ କେତେ ସ୍କୁଲ, ୟୁନିଭର୍ସିଟୀ, ବିଦ୍ୟାଭବନ, ନୃତ୍ୟସଂଗୀତ ଅନୁଷ୍ଠାନ, ସିନେମା ଘର, କଳ ଘର । ସବୁକୁ ଗୋଟି ଗୋଟି କରି ଦେଖିବା ଏତେ ଅଳ୍ପ ସମୟ ମଧ୍ୟରେ ସମ୍ଭବ ନୁହେଁ । ବମ୍ବେଠାରୁ ଅଳ୍ପ ଅଳ୍ପ ଦୂରରେ ଆହୁରି ମଧ୍ୟ ଅନେକ ଅନୁଷ୍ଠାନ ରହିଛି, ଯାହାକୁ ଦେଖି ଅନେକ କଥା ଶିଖିବାର ଅଛି । ସେଠିକି ଯାଇ ନ ପାରି ଅବଶ୍ୟ ମନରେ ଆମର ଗୋଟାଏ ଦୁଃଖ ରହିଗଲା କିନ୍ତୁ ଆମେ ସବୁଠାରୁ ବେଶୀ ଦୁଃଖିତ ହେଲୁ ଅଜନ୍ତା ଯାଇ ନ ପାରି । ଅଜନ୍ତା ବାଟେ ଫେରି ଆସିଲେ ଜଣପିଛା ପ୍ରାୟ ଟ ୧୦ କରି ଅଧିକ ଖର୍ଚ୍ଚ ଲାଗିଥାନ୍ତା, କିନ୍ତୁ ଆମର ସେ ସୁବିଧା ଘଟି ପାରିଲା ନାହିଁ ।

 

ତେଣୁ ବାକି ଯେତିକି ସମୟ ରହିଲୁ ପିଲାଏ ତା ମଧ୍ୟରେ ନିଜ ନିଜର ସଉଦା କଲେ । ଏହି ଉଦ୍ଦେଶ୍ୟରେ ପିଲାଏ ଘରୁ ଟ ୫, ଟ ୧୦ ରୁ ଆରମ୍ଭ କରି ଟ ୫୦, ଟ ୬୦ ପର୍ଯ୍ୟନ୍ତ ମଧ୍ୟ ନେଇଥାନ୍ତି । ଯେ ଯାହା ନେଇଥାଏ ତାକୁ ଚାହିଁ ବଜାର ସଉଦା ଆରମ୍ଭ ହେଲା । ଛୋଟ ଛୋଟ ଭାଇ ଭଉଣୀଙ୍କ ପାଇଁ ଖେଳନା ସମସ୍ତେ ଆଣିଲେ । ବାକି ପଇସାରୁ ମୋଜା, ଯୋତା, ବେଲଟ ପ୍ରଭୃତି କିଣାହେଲା । ବମ୍ବେ ମାର୍କେଟର ପ୍ରକୃତି ବିଷୟରେ ଜାଣିବାର ଗୋଟାଏ ବଡ଼ କଥା ଯେ ସେଠା ଦୋକାନର ଦରକୁ କେତେବେଳେ ହେଲେ ବିଶ୍ଵାସ କରାଯାଇ ପାରିବ ନାହିଁ । ମୋଟା କାରବାର ଯେଉଁମାନେ କରିବାକୁ ଯାଆନ୍ତି ସେମାନଙ୍କ ପକ୍ଷରେ ସୁବିଧା । ଯେଉଁମାନେ ଗୋଟା କାରବାର କରନ୍ତି ତାଙ୍କର ପଦେ ପଦେ ଭୟ ଠକରେ ପଡ଼ିବାର । ବମ୍ବେରେ ଯେଉଁମାନେ ବସବାସ କରିଗଲେଣି ସେମାନେ ନୂଆ ଦୋକାନକୁ ନୂଆ ପ୍ରକାର ପଦାର୍ଥ କ୍ରୟ କରିବାକୁ ଗଲାବେଳେ ଟିକିଏ ସାବଧାନ ଥାଆନ୍ତି ଦର ବିଷୟରେ । ହଠାତ୍ ଗୋଟାଏ ଦୋକାନରେ ଉଠିଯାଇ ଦାମ କରି ଜିନିଷ ନେଇ ଆସିବା ତେଣୁ ଉଚିତ ନୁହେଁ । ଗୋଟାଏ, ଦୁଇଟା, ତିନିଟା ଦୋକାନର ଦର ତୁଳନା କରି ଜିନିଷ ଆଣିବା କଥା । ସବୁଠାରୁ ବେଶି ମନେରଖିବା କଥା ଯେ କୌଣସି ଦୋକାନରେ ଯାଇ ହଠାତ୍ ଆସନ ଦଖଲ କରିବା ଉଚିତ ନୁହେଁ । ସେମାନେ ଲୋକ ଚିହ୍ନିବାରେ ଏପରି ଓସ୍ତାଦ ସେ ଢଙ୍ଗଢାଙ୍ଗରୁ ସହରୀ ନା ମଫସଲୀ ଠଉରେଇ ନେବେ ଚଟ କରି । ଆଉ ଗ୍ରାହକଙ୍କ ମନୋରଂଜନ ପାଇଁ ମିଠା ମିଠା କଥା କହିବାରେ ସେମାନେ ଏପରି ଦକ୍ଷତା ହାସଲ କରିଛନ୍ତି ଯେ ଥରେ ଆସନ ଗ୍ରହଣ କଲେ ଆଉ ରକ୍ଷା ନାହିଁ । ପୁଣି ସଙ୍ଗେ ସଙ୍ଗେ ଚା, ସରବତ୍, ଲେମନେଡ, ପାନ, ସିଗାରେଟ ଆସିଯିବ । ସେ ଲାଞ୍ଚ ଖାଇ ସାରିଲା ପରେ ଜିନିଷ ନ ନେଇ ଉଠି ଆସିଲା ବେଳକୁ ଏପରି ଚକ୍ଷୁ ଲଜ୍ଜା ଗ୍ରାସ କରିବ ଯେ, ଦରକାର ଥାଉ ବା ନ ଥାଉ ନିଶ୍ଚୟ କିଛି ଖରିଦ କରି ପକେଇବ ଲୋକ । ତୁମେ ମନା କରିବ, ସେମାନେ ଜୋର କରି ଧାର ଦେବେ, “ଲୀଜିୟେ ବଡ଼ା ବାବୁ ! ଇସ୍ ମେଁ କ୍ୟା ହୈ । କ୍ୟା ହମ୍ ଆପକେ ଘର୍ ଜାନେସେ ଆପ୍ ହମାରେ ଖାତିର ନହୀଁ କରତେ ହୈଁ ?” ଏ ପ୍ରଶ୍ନର ଉତ୍ତର ନାହିଁ । ପୁଣି ଅକୁଣ୍ଠିତ ଭବେ ତୁମକୁ ଗୋଟାକ ପରେ ଗୋଟାଏ ଜିନିଷ ଦେଖେଇ ଯିବେ । ଆଖି ଝଲସି ଯାଉଥିବ । “ଏଇଟା ଭଲ ଦିଶୁଚି” ଏତିକି କହିଦେଲା ମାତ୍ରେ ସେ ତୁମକୁ ଅବସର ନ ଦେଇ ଗୁମାସ୍ତାକୁ ସଙ୍ଗେ ସଙ୍ଗେ ଦେଇ ଦେବେ, “ବାଁଧ ଦୋ” କହି । ସବୁ ଘଟିଯିବ ଗୋଟାଏ ନିମେଷରେ । ଆଉ ନାହିଁ କଲା ବେଳକୁ ଜିଭ ଲେଉଟୁ ନ ଥିବ । ଦର ତ ସେମାନଙ୍କ ମୁହେଁ ମୁହେଁ । ଗୋଟାଏ କନାର ଗଜ ଦୁଇଟଙ୍କା ଦୁଇଅଣା କହି ଦେଲା ସଙ୍ଗେ ସଙ୍ଗେ ତୁମକୁ ଖରିଦ ଦାମ ମଧ୍ୟ କହି ଦେବେ “ବିଶ୍ ଗଜକା ଟ ୪୨/--। ଇସମେ ଫର୍ ଟାକସ ବଗାରହ୍‍ ହୈ । ଆପହି ହସାବ୍‍ କୀଜିୟେ ବଡେ ବାବୁ, ହାମାରା ଇସ୍ମେ କ୍ୟା ନଫା । ଗଜକା ଦୋ ପୈସା, ଏକ୍ ଆନା ହୁଆ ତୋ ବସ୍ ।” ତୁମେ ଆଉ କମାଇ କେତେ କମାଇବ । ଏହିପରି ବମ୍ବେର ପ୍ରକୃତି । ଖାଲି ବମ୍ବେ ନୁହେଁ, ସବୁ ବଡ଼ ବଡ଼ ସହରରେ ବ୍ୟବସାୟ କ୍ଷେତ୍ରର ହାଲ ଏଇୟା । ପଇସା ଭିଡ଼ି ନେବାର ଗୋଟାଏ ପ୍ରତିଯୋଗିତା ଲାଗିଛି-

 

କଥାରେ କହନ୍ତି, “ବଡ଼ ସହରରେ ପଇସା ବାଟରେ ଘାଟରେ ପଡ଼ିଛି । ଗୋଟେଇ ନେଇ ଜାଣିଲେ ହେଲା । “କଥାଟା ମିଥ୍ୟା ନୁହେଁ । ଲୋକଙ୍କ ଚାହିଦା ଜାଣି ତାଙ୍କ ପାଖରେ ଜିନିଷ ଯୋଗେଇ ପାରିଲେ ପଇସା ଦେବାକୁ ମହଜୁଦ୍ ଅଛନ୍ତି ଲୋକେ । ଆମର ଛୋଟ ଛୋଟ ସ୍ଥାନମାନଙ୍କରେ ମଧ୍ୟ ଏ କଥାର ସତ୍ୟତା ଅଛି, ଆଉ ଲକ୍ଷ ଲକ୍ଷ ଅଧିବାସୀ ଯେଉଁଠି ଅଛନ୍ତି, ସେଠା କଥା ଭାବିବା କାହିଁକି ? ଫୁଟବଲ ପଡ଼ିଆରେ ଚିନାବାଦାମ, ଚଣା ବିକାଳିମାନେ ଟ° ର ଚିନାବାଦାମ ଉପରେ ଟ° । ପାଆନ୍ତି ମନୋହରୀ ହରକରାମାନେ, ପରିବାବାଲାମାନେ ଘର ଘର ବୁଲି ଯେ କାରବାର କରନ୍ତି, ସେଠାରେ ମଧ୍ୟ ଏହି କଥା ପ୍ରଯୁଜ୍ୟ । ନ ହେଲେ ସେଦିନ ଗେଟ ଅଫ୍ ଇଣ୍ଡିଆ ନିକଟରେ ବାଲଟିଏ ପାଣି ବିକି ଜଣେ ଲୋକ ଟ୪ ୦ 4 ପାଇ ନ ଥାନ୍ତା । ବଡ଼ ସହରର ବଡ଼ ବଡ଼ ପୋଷ୍ଟ ଅଫିସ ପାଖରେ ଗଛ ତଳେ ବସି ନିରକ୍ଷର ଲୋକଙ୍କ ପାଇଁ ମନିଅର୍ଡର ଠିକଣା ଲେଖି ଲେଖି ମଧ୍ୟ ଦିନକୁ ପନ୍ଦରରୁ ପଚିଶ ଟଙ୍କା ରୋଜଗାର କରିବାର ଦୃଷ୍ଟାନ୍ତ ଅଛି । ଏ ସବୁ ଉଦାହରଣ ମାତ୍ର । ବଡ଼ ସହରରେ ବ୍ୟବସାୟୀମାନଙ୍କୁ ଗ୍ରାହକ ଜୁଟାଇବା ଦ୍ୱାରା କମିଶନ୍ ପାଇ ମଧ୍ୟ ଅନେକେ ସ୍ଵଚ୍ଛନ୍ଦରେ ଚଳନ୍ତି । ଗୋଟାଏ କଥାରେ କହିଲେ—ଲୋକଙ୍କୁ ସୁବିଧା କରାଇ ଦିଅ, କୌଣସି ମତେ ସେମାନେ ତୁମକୁ ପୋଷି ନେବେ ।

 

ଏଥିରୁ ମନେ କରିବାକୁ ହେବ ନାହିଁ ଯେ ବମ୍ବେରେ ଜୀବନ ଅତି ସହଜ । ବଡ଼ ବଡ଼ ସେଠ ଠାରୁ ଆରମ୍ଭ କରି ଛୋଟ ଦୋକାନୀ ଓ ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କୁ ନିରଳସ ଭାବେ ପରିଶ୍ରମ କରିବାକୁ ହୁଏ । ଅର୍ଥାଗମର ଉପାୟର ଅଭାବ ନାହିଁ; ବୁଦ୍ଧିମାନ ଲୋକ ଭୋକ ଉପାସରେ ରହିବ ନାହିଁ; କିନ୍ତୁ ସେଥିପାଇଁ ପରିଶ୍ରମ କରିବାକୁ ପଡ଼ିବ । ଜୀବନ ସଂଗ୍ରାମ କ୍ଷେତ୍ରରେ ପ୍ରତିଯୋଗିତା ଏଠାରେ ବଡ଼ ଉଗ୍ର ଓ ତୀବ୍ର । ଯେ ଯେତେ ବେଶୀ ପରିଶ୍ରମ କରିପାରିବ ସେ ସେତେ ଲାଭବାନ୍ ହେବ । ବମ୍ବେବାସୀଙ୍କୁ ଗତିବିଧିରେ ଏହି ସତ୍ୟ ଏପର ସ୍ପଷ୍ଟ ଭାବରେ ପ୍ରତିଫଳିତ ଯେ ଆଗନ୍ତୁକ ପକ୍ଷରେ ଏହା ଅନୁଭବ କରିବା ଅତ ସହଜ । ସମସ୍ତେ ଧାଇଁଛନ୍ତି, ଯେପରି ସମସ୍ତଙ୍କ ଘରେ ରୋଗୀ ପଡ଼ିଚନ୍ତି, ଡାକ୍ତର ଚଞ୍ଚଳ ନ ଆସିଲେ ନ ଚଳେ । କେହି ସମୟ ନଷ୍ଟ କରୁ ନାହିଁ । ଏକ ଉଗ୍ର ଦୌଡ଼ । ସାଇକଲ, ମଟର, ଟାକସି ପକ୍ଷରେ ସେହି କଥା, ଚଲା ମଣିଷର ମଧ୍ୟ ସେ ପ୍ରକୃତି । ଆମର ସ୍ୱଚ୍ଛନ୍ଦ ଗତି ସୁଦ୍ଧା ଏହି ଅଳ୍ପ ସମୟ ମଧ୍ୟରେ ବମ୍ବେର ପ୍ରକୃତି ଗ୍ରହଣ କରାଗଲା । ଆମେ ବି ଧାଉଁଥିଲୁ । ଗୋଟାଏ ମେଷଜାତୀୟ ପ୍ରକୃତି ଆଉ ବୋଧହୁଏ ଅଭିମାନ । କେହି ଦ୍ରୁତଗାମୀ ହୋଇ ନିଜକୁ ଅତିକ୍ରମ କରିଗଲେ ପୌରୁଷ ଉପରେ ଆସେ ଏକ ଆଘାତ, ଯାହା ଫଳରେ ପାଦ ଲମ୍ବ ଲମ୍ବ ହୁଏ, ନିଜ ଅଜ୍ଞାତସାରରେ ଆମେ ମଧ୍ୟ ଏ ଦ୍ରୁତଗାମୀ ହେଉଁ । ବମ୍ବେରେ ସବୁ କ୍ଷେତ୍ରରେ ଏହିପରି ପ୍ରତିଯୋଗିତା ଦେଖିବାକୁ ମିଳେ । କ୍ରମେ ଅଭ୍ୟାସ ଓ ଆବଶ୍ୟକତା ଯୋଗୁ ଏହା ଏକ ସାଧାରଣ ପ୍ରକୃତିରେ ପରିଣତ ହୋଇଗଲାଣି ।

 

ବିଶେଷତଃ ଷ୍ଟେସନମାନଙ୍କରେ ବେଶି ଭିଡ଼ ଦେଖାଯାଏ ଦିନ ଦଶଟା ଓ ପାଞ୍ଚଟା ବେଳେ । ବମ୍ବେରେ ବଡ଼ ବଡ଼ ଅଫିସ ବହୁ ସଂଖ୍ୟାରେ ରହିଛି । ସେହ ଅଫିସର କର୍ମଚାରିମାନେ ତାଙ୍କର ଅଳ୍ପ ଦରମାରେ ସହରର ପ୍ରଧାନ ଅଞ୍ଚଳରେ ରହି ନିଜର ଖର୍ଚ୍ଚ ତୁଲାଇ ପାରନ୍ତି ନାହିଁ । ସହରତଳି ଅଞ୍ଚଳରେ ଭଡ଼ାଘରେ ରହି ପ୍ରତିଦିନ ଯାଇ ଆସି କାର୍ଯ୍ୟ କରନ୍ତି । ବହୃସଂଖ୍ୟକ ଲୋକାଲ ଟ୍ରେନ ଥିବାରୁ ଏ ବିଷୟରେ ସେମାନଙ୍କ ଅସୁବିଧା ନାହିଁ । ତାଙ୍କର ପିଲାପିଲିମାନେ ମଧ୍ୟ ସେହିପରି ଟ୍ରେନରେ ଯା’ ଆସ କରି ସ୍କୁଲ କଲେଜରେ ପଢ଼ନ୍ତି । ମାସିକ ହାରରେ ରେଳ ଭଡ଼ା ଦେଲେ ତାଙ୍କୁ ଏତଦ୍ୱାରା ଶସ୍ତା ପଡ଼େ । ତେଣୁ ଏହି ସମୟରେ ସଡ଼କ ଧାରରେ ଜନସ୍ରୋତ ଛୁଟିଥାଏ । ପ୍ରଶସ୍ତ ପିଚ୍ ରାସ୍ତା ସବୁ । କଲିକତାର ରାସ୍ତା ସରୁ ମଧ୍ୟ ତା’ ସହିତ ତୁଳନୀୟ ହୋଇ ପାରିବ ନାହିଁ । ରାସ୍ତା ମଝିରେ ଅନେକ ସ୍ଥଳରେ ଅପ୍ରଶସ୍ତ ଲମ୍ବା ପ୍ଲାଟଫର୍ମ ରହିଛି ଏବଂ ରାସ୍ତାଟିକୁ ଏପରି ଭାବରେ ବିଭକ୍ତ କରୁଛି ଯେ, ଯିବା ଆସିବା କରୁଥିବା ଯାନଗୁଡ଼ିକ ପାଇଁ ଆପେ ଆପେ ଦୁଇ ସ୍ୱତନ୍ତ୍ର ରାସ୍ତା ହୋଇ ଯାଇଛି । ଯାନବାହନର ଗତି ନିୟନ୍ତ୍ରଣ ପାଇଁ କଲିକତାର ଟ୍ରାଫିକ୍ ପୁଲିସ୍ ବା ଆଲୁଅ ସାହାଯ୍ୟରେ ନିୟନ୍ତ୍ରଣ ଏଠାରେ ବିରଳ । ଏହି ପ୍ଲାଟଫର୍ମ ଗୁଡ଼ିକର ଧାର ସବୁ ସିମେଣ୍ଟରେ ତିଆରି କିନ୍ତୁ ମଝିରେ ସାଦା ଭୂଇଁ ଅଛି ଆଉ ତାହାରି ଭିତରେ କେତେ ଜାତିର ଝଙ୍କାଳିଆ ଗଛ ଲାଗିଛି; ମଝିରେ ମଝିରେ ବିଶ୍ରାମର ସୁବିଧା ପାଇଁ ପଡ଼ିଛି ବେଞ୍ଚ । ବମ୍ବେର ସାମୁଦ୍ରିକ ଜଳବାୟୁ ଯୋଗୁ ଏବଂ କର୍ପୋରେସନ୍ କର୍ତ୍ତୁପକ୍ଷର ଯତ୍ନ ହେତୁ ଏହି ଗଛଗୁଡ଼ିକ ସଦା ସବୁଜ ଓ ଜୀବନ୍ତ । ସେମାନଙ୍କ ମୂଳ ବି ସେହିପରି ପରିଷ୍କାର ପରିଚ୍ଛନ୍ନ । ରାସ୍ତାର ପରିଚ୍ଛନତା ମଧ୍ୟ ବମ୍ବେରେ ସାଧାରଣତଃ ଦୃଷ୍ଟି ଆକର୍ଷଣ କରେ । ଏତେ ଲୋକ, ଏତେ ଗାଡ଼ି, ଏତେ ଭିଡ଼ ଥାଇ ମଧ୍ୟ ମ୍ୟୁନସିପାଲଟିର ଯତ୍ନରେ ବମ୍ବେ ସହର ସବୁବେଳେ ଘଷାମଜା ହୋଇ ରହିଛି ।

★★★

 

–ଶେଷ କଥା–

 

ପ୍ରାୟ ପାଞ୍ଚ ଦିନ ରହିବା ପରେ ବମ୍ବେ ନଗରୀ ଛାଡ଼ିବାର ବେଳ ଆସିଲା । ଆମର ପରିଚିତ ହୋଟେଲରେ ସନ୍ଧ୍ୟାବେଳେ ଶେଷଥର ପାଇଁ ଖାଇବା ବେଳେ ହୋଟେଲ ବାଲା ମଧ୍ୟ ଆମକୁ ବିଦାୟ ଦେବାକୁ ଯାଇ ଛଳ ଛଳ ଆଖିରେ କହି ପକାଇଥିଲା “ଆପ୍ ଲୋଗ ଇତନେ ଅଛେ ଆଦମୀ ! ହମ୍ ଉଡ଼ିଶାକେ ଲଡକୋ କୋ କଭୀ ନହିଁ ଭୁଲେଙ୍ଗେ ।’’ ଆମେ ବୁଝିପାରିଲୁ ନାହିଁ ତାଙ୍କର ଏ ଦରଦର ମର୍ମ । ପ୍ରତିଦିନ ସକାଳୁ ଆରମ୍ଭ କରି ରାତି ୯ଟା ପର୍ଯ୍ୟନ୍ତ କେତେ ଶହ ଲୋକ ସେଠି ଆହାର କରନ୍ତି । ସମସ୍ତେ ଗଣି ପଇସା ଦିଅନ୍ତି, ଆମର ଫଣ୍ଡ ମଧ୍ୟ ଯାହା ତହିଁରେ ହିସାବ ନ କରି ବଡ଼ଲୋକ ଦେଖାଇବା ଆମ ପକ୍ଷରେ ସମ୍ଭବ ନ ଥିଲା । କଥାରେ ତାର ଯେଉଁ ଆନ୍ତରିକତା, ସେ ଦୃଷ୍ଟିରୁ ତାକୁ ଏକ ବ୍ୟାବସାୟିକ ଚାଲବାଜି ବୋଲି କହିବା ପାଇଁ ଏତେବେଳେ ମଧ୍ୟ ଇଚ୍ଛା ହେଉ ନାହିଁ । କାରଣ, ଏମାନେ ଯେ ପୁଣି କେବେ ବମ୍ବେ ଯାଇ ଗୋଟାଏ ଯୋଡ଼ାଏ ମିଲ ଖାଇ ତାକୁ ଲାଭବାନ କରିବେ ଏ ଆଶା ସେ ନିଶ୍ଚୟ କରି ନ ଥିବ । ତଥାପି ଗୋଟାଏ ମାୟା-। ଆମର ମଧ୍ୟ ଥିଲା ସେ ମାୟା । ଆଲୋକମାଳିନୀ ବମ୍ବେ ନଗରୀର ଅପାଶୋରା ଶୋଭାକୁ ଶେଷଥର ପାଇଁ ଆଖି ପୂରାଇ ଦେଖି ନେଲାବେଳେ ସେହି ବମ୍ବେରେ ମନେ ପଡ଼ୁଥାଏ ବମ୍ବେର ସ୍ମୃତି । ଗେଟ ଅଫ୍ ଇଣ୍ଡିଆ, Milk Colony, ଏଲିଫାଣ୍ଟା, ମ୍ୟୁଜିଅମ, ଷ୍ଟୁଡ଼ିଓ, ବଡ଼ ବଡ଼ ଚକିଆ ଘର, ଆଲୋକର ବିପୁଳ ସମ୍ଭାର, ଲୋକଙ୍କର ଢଙ୍ଗଢ଼ାଙ୍ଗ—ସବୁର ପୁନରାବୃତ୍ତି କରି ଯାଉଥାଏ ଅମାନିଆ ମନ ବିଦାୟ ମୂହୁର୍ତ୍ତରେ । କଣ ଦେଖିଲୁ, କଣ ଶିଖିଲୁ, ସମୟ ଓ ଅର୍ଥ ବିନିମୟରେ ଲାଭ କଲୁଁ ଯେଉଁ ଅନୁଭୂତି ତାର ଓଜନ କେତେ, ତାହାରି ଏକ ସମୀକ୍ଷା ବା Stock-taking ଚାଲିଥାଏ । ମନେ ହେଉଥାଏ, ଏତେ ଅଳ୍ପ ଦିନରେ କିଛି ବୁଝି ହେଲା ନାହିଁ । ଆହୁରି କେତେ ତ କଣ କଣ ରହିଗଲା ! ମନ ଟାଣୁଥାଏ ପଛକୁ, ପକେଟର ପଇସା ଗୋଡ଼ ଯୋଡ଼ାକୁ ଠେଲି ନେଇ ଯାଉଥାଏ . ଭି.ଟି. ର ୧୨ ନମ୍ବର ପ୍ଲାଟଫର୍ମକୁ, ଯେଉଁଠାରୁ ତା ୧୬ । ୧୦ । ୫୬ ର ୯ଟା ବେଳେ ନାଗପୁର ଏକ୍ସପ୍ରେସ୍ ଆମ ଦଳର ଦୀର୍ଘଶ୍ଵାସ ସଂଗେ ଧୂମର ଉଚ୍ଛ୍ୱାସ ଖେଳାଇ ଚାଲିଲା ବାହୁଡ଼ା ବାଟରେ । ଚୌବେଜୀ ସେ ପର୍ଯ୍ୟନ୍ତ ଆମର ସାଥି ଥିଲେ । ଗାର୍ଡର ହୁଇସିଲ ସଙ୍ଗେ ସଙ୍ଗେ ଟ୍ରେନର ବଂଶୀ ଧ୍ୱନି ବାଜିଲାବେଳେ ସମସ୍ତେ ସେହି ବୟସ୍କ ବମ୍ବେ ବନ୍ଧୁ ଚୌବେଜିଙ୍କୁ ପ୍ରାୟ ସମସ୍ଵରରେ କହି ଉଠିଲେ "ନମସ୍ତେ" । ସମସ୍ତଙ୍କର କଣ୍ଠଧ୍ୱନିର ସେହି କରୁଣ ଶବ୍ଦକୁ ନିଷ୍ଠୁର ଭାବରେ ଆପଣା ମଧ୍ୟରେ ବୁଡ଼ାଇ ଦେଇ ଶୁଭିଲା ଟ୍ରେନର ଛିକ୍ ଛିକ୍ । .ଭି.ଟି ଗଲା-। କ୍ରମେ ଲୁଚିଗଲା ବମ୍ବେର ଦୀପୋତ୍ସବ ତୁଲ୍ୟ ଆଲୋକମାଳା । ଏକସପ୍ରେସ୍ ଧାଇଁଛି କର୍ତ୍ତ୍ୟବ୍ୟର ପତାକା ଉଡ଼ାଇ । ଛୋଟ ମଣିଷର ସୁଖ ଦୁଃଖର ମର୍ଯ୍ୟଦା କରି ବସିଲେ ତାର କର୍ତ୍ତବ୍ୟ ହାନି ହେବ ପରା !!

Image